spot_img

Latest Posts

ପୁଣି ବାଂଲାଦେଶରେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ନୂଆ ମୁଖ୍ୟ ମହମ୍ମଦ ୟୁନୁସଙ୍କ ଆଗମନ ପରେ ମଧ୍ୟ ସେଠାରେ ହିନ୍ଦୁମାନଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ । ସେଠାରେ  ହିନ୍ଦୁ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ଆକ୍ରମଣର ଶିକାର ହେଉଥିବାବେଳେ ହିନ୍ଦୁ ଧାର୍ମିକ ସ୍ଥାନଗୁଡିକୁ ମଧ୍ୟ ଟାର୍ଗେଟ କରାଯାଉଛି। ହିନ୍ଦୁ ନାରୀ ମାନଙ୍କୁ ଅତ୍ୟାଚାର କରାଯାଉଥିବା ବେଳେ ଦୁଷ୍କର୍ମର ଶିକାର ହେଉଛନ୍ତି । ତେବେ ଏହାରି ଭିତରେ ବାଂଲାଦେଶରେ ଜଣେ ହିନ୍ଦୁ ମହିଳାଙ୍କ ରହସ୍ୟମୟ ଭାବରେ ମୃତ୍ୟୁ ହୋଇଛି । କୁହାଯାଉଛି କି ସେ ଦୁଷ୍କର୍ମର ଶିକାର ହୋଇଥିଲେ ଯାହାଫଳରେ କି ଲଜ୍ଜା କାରଣରୁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ।

ବାଂଲାଦେଶର ନେରୈଲ ଜିଲ୍ଲାର ୫୨ବର୍ଷୀୟ ବସନା ମଲିକ ରହସ୍ୟମୟ ଭାବରେ ମୃତ୍ୟୁବରଣ କରିଛନ୍ତି । ସୂଚନାନୁଯାୟୀ ତାଙ୍କୁ ବଳାତ୍କାର କରାଯାଇଥିଲା । ଏହା ପରେ ସେ ମୃତ୍ୟୁବରଣ କଲେ। ପରିବାର ସଦସ୍ୟ କହିଛନ୍ତି ଯେ ମହିଳାଙ୍କୁ ବଳାତ୍କାର କରାଯାଇଥିଲା ଯାହା ପରେ ମାନସିକ ଓ ଶାରୀରିକ ଭାବେ ବିଚଳିତ ହୋଇ ଶେଷରେ ଆତ୍ମହତ୍ୟା କରିଥିଲେ । ୨୪ ଡିସେମ୍ବରରେ ବସନା ତାଙ୍କ ଘରକୁ ଫେରିଥିଲେ ଏବଂ ସେହି ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବସନା ମଲିକଙ୍କୁ ବଳାତ୍କାର କରାଯାଇଥିଲା। ଜଣେ ସ୍ଥାନୀୟ ଯୁବକ ଦାବି କରିଛନ୍ତି ଯେ ଗାଁ’ର କିଛି ଯୁବକ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇଥିଲେ, ଏହା ପରେ ସେ ଚାପ ଏବଂ ଲଜ୍ଜା କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ବସନା ମଲିକଙ୍କ ପୁଅ ରିଙ୍କୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ମାଆଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ସେ କହିଛନ୍ତି ଯେ ତାଙ୍କ ମାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା ଏବଂ ସେ ଏହି ଅପରାଧ ପାଇଁ ଦୋଷୀମାନଙ୍କୁ ଦଣ୍ଡିତ କରିବାକୁ ଚାହୁଁଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରିଙ୍କୁ ନ୍ୟାୟ ଦାବି କରିଥିଲେ। ପୋଷ୍ଟମର୍ଟମ ପରେ ବସନାଙ୍କ ମୃତଦେହ ତାଙ୍କ ଗାଁ ରେ  ଶବସଂସ୍କାର କରାଯାଇଥିଲା ।

ସଦର ପୋଲିସ ଷ୍ଟେସନ ଅଧିକାରୀ ସୋଜେଦୁଲ ଇସଲାମ ଏହି ଘଟଣାକୁ ରହସ୍ୟମୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି ବୋଲି ସେ ଦେଇଛନ୍ତି। ସେ କହିଥିଲେ ଯେ କିଛି ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହେବା ପରେ ଜାଣିବାକୁ ମିଳିଥିଲା ​​ଯେ ବସନା ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ଏହା ଲୋକଲୋଚନକୁ ଆସିବା ପରେ ତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ଯାହାପରେ ସେ ବିଷ ପିଇଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ଏହି ଘଟଣା ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ବଢୁଥିବା ହିଂସାର ଏକ ଉଦାହରଣ । ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିବା ପରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ତୀବ୍ର ହୋଇଛି। ଧାର୍ମିକ ସ୍ଥାନଗୁଡିକୁ ଟାର୍ଗେଟ କରାଯାଉଛି ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ମଧ୍ୟ ଆକ୍ରମଣ କରାଯାଉଛି। ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଏହି ହିଂସା ସରକାର ତଥା ମାନବାଧିକାର ସଂଗଠନ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।

Latest Posts

Don't Miss