ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପ

1 min read

ଭୁବନେଶ୍ବର: ବଢ଼ିଲା ବିଜେଡି ବଳ । ଦଳରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ଯୋଗ ଦେଇଛନ୍ତି ମୋନିଦୀପା । ସେ ବର୍ତ୍ତମାନ ପାରାଦ୍ୱୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି । ତାଙ୍କ ସମର୍ଥନରେ ଜିତିଥିବା ସାତ ସ୍ୱାଧୀନ କାଉନସିଲର ବି ବିଜେଡିରେ ଯୋଗ ଦେଇଛନ୍ତି । ସେମାନେ ହେଲେ ଛବିଲତା ରାଉତ, ଜୟନ୍ତୀ ମାଦେଲି, ସ୍ବପନାରାଣୀ ଜେନା, ବନିତା ରାଉତ, ଶୁକ୍ରମଣି ନାଗ, ସୌଦାମିନୀ ରାଉତ , ରୁନିବାଳା ପରିଡା, ଜଗନା ରାଓ କାମଲା ।  ସେମାନଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ  ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହେବାକୁ ସେମାନେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କାହାକୁ ଅଣଦେଖା କରନ୍ତି ନାହିଁ । ସେ କାମରେ ବିଶ୍ୱାସ କରନ୍ତି । କର୍ମୀମାନେ ଲଢୁଆ ସୈନିକ ଭାବେ କାମ କରିବେ । ସମସ୍ତେ ଦଳରେ ଉଚିତ ପ୍ରାପ୍ୟ ପାଇବେ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ କହିଥିଲେ – ଆଜି ବିଜେଡି ସାରା ଓଡ଼ିଶାର ଆଶା ଓ ବିଶ୍ୱାସର ଦଳ ପାଲଟିଛି । ସାଢେ ଚାରି କୋଟି ଲୋକଙ୍କ ହୃଦୟର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁମାନେ ମିଶିଲେ ସେମାନେ ଦଳକୁ ସୁଦୃଢ କରିବାକୁ ସମସ୍ତେ କାମ କରିବେ । ବିଜେଡି ଶୃଙ୍ଖଳିତ ଓ ସଂଗଠିତ ଦଳ । ଏହି ମିଶ୍ରଣ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ସଂଗଠନ ଆହୁରି ସୁଦୃଢ ହେବ ।

ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ଅନୁମୋଦନରେ ମିଶ୍ରଣ ହୋଇଛି ।

ସେହିପରି ବିଜେଡିରେ ସାମିଲ ହେବା ଅବସରରେ ମୋନିଦୀପା କହିଛନ୍ତି,  ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟଧାରା ଓ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଛି । ଏଥିପାଇଁ ସାଂସଦ ମାନସ ମଙ୍ଗରାଜ. 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।