ବିଶ୍ବରେ ଚମକିବ ବାରବାଟୀ ଷ୍ଟାଡିୟମ

1 min read

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । ଏଥିପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ଯ ସରକାର । ହେଲେ ଏହାକୁ ନେଇ ବିରୋଧୀ ଗୋଷ୍ଠୀ ଅପପ୍ରଚାର କରୁଛନ୍ତି । ଯାହାର ଉଚିତ ଜବାବ ଦେଇଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ରାଜ୍ଯ ସରକାର ସବୁ ଖେଳ ଭଳି କ୍ରିକେଟର ବିକାଶ ଚାହୁଁଛନ୍ତି । ରାଜ୍ୟ ତଥା କଟକ ପାଇଁ ଏତେ ବଡ ଯୋଜନା ହେଉଥିବାରୁ ଅଯଥା ବିବାଦ ନ କରି ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ବିଶ୍ବରେ ଚମକିବ ବାରବାଟୀ ଷ୍ଟାଡିୟମ । ପାଇବ ଓ୍ବାର୍ଲ୍ଡ କ୍ଲାସ କ୍ରିକେଟ ଫିଲ୍ଡର ମାନ୍ୟତା । ଆସନ୍ତା ତିନିବର୍ଷ ମଧ୍ୟରେ ବଦଳିବ ସମ୍ପୂର୍ଣ୍ଣ ରୂପରେଖ । ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ଯ ସରକାର । ହେଲେ କିଛି ନ୍ୟସ୍ତସ୍ୱାର୍ଥ ଲୋକ ଏହାକୁ ନେଇ ଅପପ୍ରଚାର କରି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସେମାନଙ୍କ ଉତ୍ତର ରଖିଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ପୁରା ଷ୍ଟାଡିୟମ ଭଙ୍ଗାଯିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ହରେକୃଷ୍ଣ ମହତାବ, ଭୈରବ ମହାନ୍ତିଙ୍କ ଉଦ୍ୟମରେ ଏକ ଟଙ୍କିଆ ଲଟେରୀ ଟଙ୍କାରୁ ୬୦ ଦଶକରେ ବାରବାଟୀ ଷ୍ଟାଡିୟମ ତିଆରି ହୋଇଥିଲା । ଗ୍ୟାଲେରୀ ସବୁ ୬୦ ବର୍ଷ ପୁରୁଣା । ତେଣୁ ଏହାକୁ ଆଗାମୀ ୫୦ ବର୍ଷ ପାଇଁ ଏକ ସୁନ୍ଦର ଷ୍ଟାଡିୟମ କରିବାକୁ ହେଲେ ପୁରୁଣା ଗ୍ୟାଲେରୀ ଭାଙ୍ଗି ଆମକୁ ନୂଆ ଗ୍ୟାଲେରୀ କରିବାକୁ ପଡିବ । ତେବେ ଯାଇ ଏହା ଉପରେ ୬୦ ହଜାର ବକେଟ୍ ସିଟ୍ ଓ ରୁପ୍ ଟପ୍ କରାଯାଇ ପାରିବ ବୋଲି କହିଛନ୍ତି ଆଶୀର୍ବାଦ ।

ବାରବାଟୀର ଐତିହ୍ୟ ବହନ କରୁଥିବା କ୍ଲକ ଟାୱାର, ହର୍ସ ଗେଟ, କ୍ଲବ ହାଉସ କାନ୍ଥରେ ଥିବା ସ୍ମୃତି ଓ ପେଣ୍ଟିଂକୁ ସଂପୂର୍ଣ୍ଣ ଅକ୍ଷୁର୍ଣ୍ଣ ରଖି କାମ କରାଯିବ । ତେଣୁ ୨୦ ରୁ ଅଧିକ ଅନ୍ତର୍ଜାତିକ ମ୍ୟାଚ, ୭ ଟି ଆଇପିଏଲ ମ୍ୟାଚ, ୨ ଟି ଟେଷ୍ଟ ମ୍ୟାଚର ସଫଳ ଆୟୋଜନ କରି  ବିଶ୍ବ କ୍ରୀଡାରେ କଟକ ତଥା ଓଡିଶାର ସୁନାମ ବଢାଇଥିବା ବାରବାଟୀ ପୁଣିଥରେ ବିଶ୍ବସ୍ତରରେ ନିଜର ଚମକ ଫେରି ପାଇବ । ରାଜ୍ୟ ତଥା କଟକ ପାଇଁ ଏତେ ବଡ ଯୋଜନା ହେଉଥିବାରୁ ଅଯଥା ବିବାଦ ନ କରି ସହଯୋଗ କରିବାକୁ ନିବେଦନ କରିଛନ୍ତି ଆଶୀର୍ବାଦ ।

ନବକଳେବର ପୂର୍ବରୁ ବୁଧବାର ସକାଳୁ ଷ୍ଟାଡିୟମ ବୁଲି ପୂରା ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୨୭ରେ ବାରବାଟୀ ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ,  5T ଅଧ୍ୟକ୍ଷ କାର୍ତ୍ତିକ,  ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।