କାଲି ବିଜେଡିରେ ମିଶିଲେ, ଆଜି ବର୍ଷାଙ୍କୁ ଟିକେଟ ଦେଲା ଦଳ

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେଡ଼ି । ମୋଟ ୯ ଜଣଙ୍କ ନାମ ତାଲିକାରେ ଥିବା ବେଳେ ଏଥିରେ ୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏଥର ବଡଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ  । ଗତକାଲି ଶଙ୍ଖ ଭହନେର ବିଜେଡିରେ ମିଶିଥିଲେ ବର୍ଷା  । ଏହାର ଦିନକ ପରେ ଆଜି ବିଜେଡି ପ୍ରାର୍ଥୀ ତାଲିକାରେ ବର୍ଷାଙ୍କ ନାଁ ଦେଖିବାକୁ ମିଳିଛି  ।

ଦୀର୍ଘଦିନରୁ ବର୍ଷା ସମାଜସେବାରେ ଜଡିତ ଅଛନ୍ତି  । ସେହିପରି ବିଜେଡିର ଅଧିକାଂଶ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି ବର୍ଷା  । କିନ୍ତୁ ସିଧାସଳଖ ସେ ରାଜନୀତିରେ ସକ୍ରିୟ ନଥିଲେ  । ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଥିବା ଗତକାଲି ପ୍ରେସମିଟ୍‌ରେ କହିଥିଲେ  । ଏପରିକି ସେ ନବୀନଙ୍କ ଜଣେ ବଡ ପ୍ରଶଂସକ ହୋଇଥିବାରୁ ତାଙ୍କ ଆଧାରିତ ଏକ ସିନେମା ବି ନିର୍ମାଣ କରିଥିଲେ  ।