ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଆତ୍ମହତ୍ୟା କଲେ ସଚିନ ପାଣ୍ଡେ

ଝାରସୁଗୁଡ଼ା : ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଆତ୍ମହତ୍ୟା କଲେ ସଚିନ ପାଣ୍ଡେ । ମୃତ୍ୟୁର ୧୫ ଦିନ ପରେ ସଚିନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓଟି ସେ ଆତ୍ମହତ୍ୟା କରିବା ଠିକ ପୂର୍ବରୁ ନିଜେ ରେକର୍ଡିଂ କରିଥିଲେ । ଭିଡ଼ିଓରେ ଯୁବକ ଜଣକ କହୁଛନ୍ତି ଆଜି ମୁଁ ସୁଇସାଇଡ୍ କରୁଛି । ମଣ୍ଟୁ ଭାଇ କହିଦେବ ଜୟଦେବକୁ । ଖାଲି ଜୟଦେବ ପାଇଁ… ଜୟଦେବ ଆସିଲାନି ମୋ ଇଜ୍ଜତ ଗଲା । ଆଉ ଏଠି ବାକି ସମସ୍ତେ ତ ଯାହା କରୁଛନ୍ତି ସେମାନେ ତ କରିବେନି କାମ । ଜୟଦେବ ଆସିଲାନି ବୋଲି ମତେ ଫସାଇଛନ୍ତି । ଜୟଦେବ ଭାଇ ଯାହା କଲ ଧନ୍ୟବାଦ । ପଇସାଟା ଯାହାକୁ କହିଥିଲି ତାହାକୁ ଦେଇ ଦିଅ ଖାଲି ଏତିକି କହିଥିଲେ ସଚିନ ।
ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଗୁମାଡେରା ଅଞ୍ଚଳର ଯୁବକ ସଚିନ ପାଣ୍ଡେ ଗତ ୨୫ ତାରିଖ ଆତ୍ମହତ୍ୟା ପୂର୍ବରୁ ନିଜ ମୋବାଇଲରେ ଏହି ପରି ଏକ ଭିଡ଼ିଓ ରେକର୍ଡିଂ କରିଥିଲେ । ସଚିନ ଟେଣ୍ଟ କାର୍ଯ୍ୟ କରୁଥିବା ବେଳେ ଗଣେଶ ପୂଜାରେ ଅନେକଙ୍କ ଠାରୁ ଟେଣ୍ଟ ଲଗାଇବାକୁ ଟଙ୍କା ଗ୍ରହଣ କରିଥିଲେ । ବ୍ରଜରାଜନଗର ଅଞ୍ଚଳରେ ଟେଣ୍ଟ ଲଗାଇବାକୁ ଥିବା ବେଳେ ଟେଣ୍ଟ ଲଗାଇବା କାର୍ଯ୍ୟ କରୁଥିବା ଯୁବକଙ୍କ ଭିତରୁ କେତେକ ଯୁବକ ଆସି ନଥିଲେ। ଫଳରେ ସେ ଟେଣ୍ଟ ଲଗାଇ ନ ପାରି ଅଡୁଆରେ ପଡ଼ିଥିଲେ । ଏଭଳି ପରିସ୍ଥିତିରେ ଟେଣ୍ଟ କାର୍ଯ୍ୟ ସମ୍ଭାଳୁଥିବା ତାଙ୍କର କେତେକ ସହଯୋଗୀଙ୍କ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଭିଡିଓରେ ଉଲ୍ଲେଖ କରି ରେକର୍ଡିଂ କରିଥିଲେ ।