SIR ପାଇଁ ପଶ୍ଚିମବଙ୍ଗ ପ୍ରସ୍ତୁତ ନୁହେଁ, ନିର୍ବାଚନ କମିଶନଙ୍କୁ ୨ ବର୍ଷ ସମୟ ମାଗିଲେ ମମତା ସରକାର
1 min read
ନନ୍ଦିଘୋଷ ବ୍ୟୁରୋ: SIRକୁ ନେଇ ବିହାରରେ ବିବାଦୀୟ ସ୍ଥିତି ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବମ୍ ଫଉଟାଇଛନ୍ତି । ବିହାରରେ ଭୋଟର ତାଲିକା ପାଇଁ SIR ଶେଷ ହୋଇ ସାରିଛି । ଏମିତି ସ୍ଥିତିରେ ଚର୍ଚ୍ଚା ହେଉଛି ଶୀଘ୍ର ପଶ୍ଚିମବଙ୍ଗରେ SIR ପାଇଁ ପଦକ୍ଷେପ ନିଆଯିବ । ହେଲେ ପଶ୍ଚିମବଙ୍ଗରେ SIR ସମ୍ଭବ ହେବା ପରି ଲାଗୁନି । ତଥ୍ୟ ଅନୁସାରେ, ଶୁକ୍ରବାର ମମତା ସରକାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖା ଯାଇଛି । ଚିଠିରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମନୋଜ ପନ୍ତ ଉଲ୍ଲେଖ କରିଛନ୍ତି, ରାଜ୍ୟ ଏବେ SIR ପାଇଁ ପ୍ରସ୍ତୁତ ନାହିଁ । ଏମିତି ଭୋଟର ତାଲିକା ପାଇଁ SIR କରାଯାଇପାରିବ ନାହିଁ । ଏଥିପାଇଁ ଅତି କମରେ ଦୁଇ ବର୍ଷ ସମୟ ଦରକାର ।
ନିକଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ପଶ୍ଚିମବଙ୍ଗ SIR ପାଇଁ ପ୍ରସ୍ତୁତ ଅଛି । ଯାହାକୁ ମମତା ସରକାର ଅସ୍ବୀକାର କରିଦେଇଛନ୍ତି । ମୁଖ୍ୟ ସଚିବ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ସ୍ଥିତି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଏବେ ସମୟ ଆସିନି । ଏହାସହ ଚିଠିରେ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି ପନ୍ତ । ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ କେମିତି ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ବୋଲି ପ୍ରଶ୍ନ କରାଯାଇଛି ।
ସେପଟେ, ବିଜେପି ମମତା ସରକାରଙ୍କ ଏହି ଷ୍ଟାଣ୍ଡକୁ ହାଲକାରେ ନେଉନାହିଁ । କେନ୍ଦ୍ରରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ସବୁକିଛି ବୁଝା ପଡୁଛି । ସେମାନେ ଯେକୌଣସି ପ୍ରକାରେ SIRକୁ ଅଟକାଇବାକୁ ଲାଗିଛନ୍ତି । କାରଣ ଯଦି ଭୋଟର ତାଲିକାରେ ବ୍ୟାପକ ସଂଶୋଧନ ହେଲା, ତେବେ ରୋହିସିଂଆଙ୍କ ଭୋଟରେ ଜିତିଥିବା ଏ ସରକାର ହାରିଯିବ । ନିର୍ବାଚନ କମିଶନ ଦେଶର ସର୍ବଭୌମତ୍ବକୁ ନିଶ୍ଚିତ ପଦକ୍ଷେପ ନେବେ ।
SIRକୁ ନେଇ ନାଟ ଚାଲିଛି: ଟିଏମସି
ଅନ୍ୟପକ୍ଷରେ ଟିଏମସି ପ୍ରବକ୍ତା ଅରୂପ ଚକ୍ରବର୍ତ୍ତି କହିଛନ୍ତି, SIR ସହ ନାଟ ଚାଲିଛି । ରାହୁଲ ଗାନ୍ଧି ଭୋଟ ଚୋରି କଥା ଉଠାଇଛନ୍ତି । ନିର୍ବାଚନ କମିଶନଙ୍କୁ ପ୍ରଥମେ ତା’ର ଉତ୍ତର ଦେବା ଦରକାର । ସୂଚନାଯୋଗ୍ୟ, SIRକୁ ନେଇ ନିର୍ବାଚନ କମିଶନ ଏବଂ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ବଢ଼ିବାରେ ଲାଗିଛି । ବିହାରରେ SIR ଶେଷ ହେବା ପରେ ଏହି ବିବାଦ ଆରମ୍ଭ ହୋଇଛି ।