ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ କେବ ପାଇବ ବିମାନବନ୍ଦର ରୂପ? କେବେ ହେବ ବ୍ରହ୍ମପୁର ବିମାନ ବନ୍ଦର? ଯାତାୟାତ ହେବ ସୁଗମ । ବଢ଼ିବ ବ୍ଯବସାୟ, ପର୍ଯ୍ଯଟନ ଶିଳ୍ପ । ଏବେ ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଗଲା । ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ଯ ଆଗେଇ ପାରୁନି କାମ । ଯାହାକୁ ନେଇ ସଂସଦରେ ବିଜେଡ଼ି ରାଜ୍ଯସଭା ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଗୃହରେ ପ୍ରସଙ୍ଗ ଉଠାଇଥିଲେ । ପୂର୍ବ ସରକାରଙ୍କ ସମୟରେ ଏନେଇ ସମସ୍ତ ବ୍ଯବସ୍ଥା ହୋଇଥିଲେ ସୁଦ୍ଧା ଏବେ ବିଜେପି ସରକାରଙ୍କ ଅବହେଳାରୁ ଆଗେଇ ପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।
ବ୍ରହ୍ମପୁର ଆକାଶରେ କେବେ ବିମାନ ଉଡ଼ିବ ? କେବେ ମିଳିବ ଲୋକଙ୍କୁ ଯାତାୟାତ ସୁବିଧା ? ଏବେ ଏସବୁ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ପୂର୍ବ ସରକାରଙ୍କ ସମୟରେ ରଙ୍ଗେଇଲୁଣ୍ଡାରେ ଆରମ୍ଭ ହୋଇଥିଲା ବିମାନ ବନ୍ଦର କାମ । ଏବେ ଡବଲ ଇଞ୍ଜିନ ସରକାରକୁ ଦୁଇବର୍ଷ ପୂରିବାକୁ ବସିଲାଣି । ବଡ଼ ବିମାନ ଯାତାୟାତ ନେଇ ଲୋକଙ୍କ ଦାବିକୁ ଚାପି ଦେଇ ୧୨ଶହ ମିଟର ରନୱେ କରାଗଲା । ତଥାପି ଆଗେଇ ପାରୁନି କାମ । ଯାହାକୁ ନେଇ ବ୍ରହ୍ମପୁରବାସୀଙ୍କ ସମେତ ପୂରା ଦକ୍ଷିଣ ଓଡ଼ିଶାବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି l ବିମାନ ବନ୍ଦରକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।
ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ ବ୍ରହ୍ମପୁର ବିମାନବନ୍ଦରରେ ପରିବର୍ତ୍ତନ କରିବାକୁ ରାଜ୍ୟସଭାରେ ଦାବି ଉଠାଇଛନ୍ତି ବିଜେଡି ସାସଂଦ ସସ୍ମିତ ପାତ୍ର । ଏହି ବିମାନବନ୍ଦର ହେବା ଫଳରେ ପର୍ଯ୍ୟଟନ ବିକାଶ ସହ ବ୍ୟବସାୟ ଓ ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ତେବେ ଏହାରି ପଛରେ ଅନକ କାରଣ ଥିବା କୁହାଯାଇଛି । ସେଠାରେ ଥିବା ସରକାରୀ ଜମିରେ ଘର କରିଥିବା ୩୩ ପରିବାର ସେଠାରୁ ଉଠିଲେ ନାହିଁ । ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କୁ ଉଠାଇବାକୁ ଯେତେ ଯୋଜନା ହେଉଥିଲେ ବି ସମ୍ଭବ ହେଉନି । ମାତ୍ର ୩ ଜଣ ସମ୍ମତି ପତ୍ର ଦେଇଥିଲା ବେଳେ ଅନ୍ୟମାନେ ସେଠାରୁ ଉଠିବା ପାଇଁ ନାରାଜ । ଅନ୍ୟପଟେ କେନାଲ୍ ମୋଡ଼ ବଦଳିବନି ବୋଲି ଆପାତତଃ ସ୍ଥିର ହୋଇଛି । ଶ୍ରମିକ ମିଳୁନଥିବାରୁ କାମ ଧିମେଇ ଯାଇଥିବା ଆଉ ଏକ କାରଣ ହୋଲି କୁହାଯାଉଛି । ଟେଣ୍ଡର, ଏଜେନ୍ସି ଚୟନ, ଡିଜିସିଏ ଅନୁମତି ଆଦି ହେଲା ବେଳକୁ ୨୦୨୬ ପାର ହୋଇଯାଏ ପାରେ ବୋଲି ଚର୍ଚ୍ଚା ହେଉଛି ।

