ବେକରେ ରଶି ଲଗାଇ ଝୁଲିପଡ଼ିଲେ ଭାଇ ଭଉଣୀ

ଭଦ୍ରକ: ଜମିଜମା ବିବାଦରୁ କରୁଣ ପରିଣତି। ଗୋଟିଏ ପରିବାରର ୨ ଜଣଙ୍କ ଆତ୍ମହତ୍ୟା। ପ୍ରଥମେ ଭାଇ ଓ ପରେ ଭଉଣୀ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମର ସନାତନ ବେହେରା ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ । ସନାତନ ଅନ୍ଯ ରାଜ୍ଯରେ ରହି କାମ କରୁଥିଲେ । କିଛି ଦିନ ତଳେ ଘରକୁ ଆସିଥିଲେ। ତାଙ୍କ ଘରେ ଛପର ଚାଲିଥିବା ବେଳେ ବଡ଼ ବାପାଙ୍କ ଘର ସହିତ  ଜମିଜମା ଭାଗବଣ୍ଟାକୁ ନେଇ ଝଗଡା ହୋଇଥିଲା । ଏହାକୁ ନେଇ ସନାତନ ଘର ଭିତରେ ବେକରେ ରଶି ଲଗାଇ ଝୁଲିପଡିଥିଲେ । ତାହାର କିଛି ଘଣ୍ଟା ପରେ ବଡ ବାପା କାଳନ୍ଦୀ ବେହେରାଙ୍କ ଝିଅ ନିରୁପମା ବେହେରା ବି ରଶି ଲଗାଇ  ଆତ୍ମହତ୍ୟା କରିଥିଲେ । ଭାଇର ମୃତ୍ୟକୁ ସହିନପାରି ଭଉଣୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉଭୟ ମୃତଦେହକୁ ଧୁଷୁରୀ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।