ଗାଁ ରାସ୍ତାରେ କୃତ୍ରିମ ବନ୍ୟା ; ଆଣ୍ଠୁଏ ପାଣିରେ ଉବୁଟୁବୁ ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ : ସରକାରୀ ଜାଗା ଅବରୋଧ ଫଳରେ ଗାଁ ରାସ୍ତାରେ କୃତ୍ରିମ ବନ୍ୟା। ଆଣ୍ଠୁଏ ପାଣିରେ ଉବୁଟୁବୁ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ରାଉତପଡା ଗ୍ରାମରେ କୃତ୍ରିମ ବନ୍ୟା । ଉକ୍ତ ଗ୍ରାମରେ ୩୦୦ରୁ ଅଧିକ ଲୋକ ବସବାସ କରନ୍ତି । ଅସରାଏ ବର୍ଷାରେ ହେଲେ ଆଣ୍ଠୁଏ ପାଣିରେ ପଶି ଗ୍ରାମବାସୀଙ୍କୁ ବାହାରକୁ ଯିବାକୁ ପଡୁଛି । ଏମିତି କି ବର୍ଷା ହେଲେ ଅଙ୍ଗନବାଡି, ସ୍କୁଲକୁ ଯାଇ ପାରୁନହାନ୍ତି ଛୋଟ ପିଲା । ଯଦି ବି କେହି ପାଣି ପାର ହୋଇ ଯାଉଛନ୍ତି , ସେମାନେ ଜ୍ୱର ଥଣ୍ଡା ସହ ବିଭିନ୍ନ ପ୍ରକାରର ଚର୍ମ ରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳିଛି । ସରକାରୀ ଜାଗାକୁ ଜବରଦଖଲ କରିବା ସହ ରାଜନୈତିକ ଛକପଞ୍ଝା ର ଆକ୍ରୋଶର ଶିକାର ହେଉଛନ୍ତି ନିରୀହ ଗ୍ରାମବାସୀ ସାଙ୍ଗକୁ କୁନି କୁନି ପିଲା । ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରିବା ସହ ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।