ଭଦ୍ରକ, ଯାଜପୁର ଓ ବାଲେଶ୍ଵରରେ ବଡ଼ ଧରଣର ବନ୍ୟା ଆଶଙ୍କା

1 min read
Bhadrak

ଭୁବନେଶ୍ୱର: (ପ୍ରିୟ ପ୍ରିତମ ମହାନ୍ତି): ଭଦ୍ରକ, ଯାଜପୁର ଓ ବାଲେଶ୍ଵରରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ଧରି ଲଗାଣ ବର୍ଷା ପରେ ବୈତରଣୀରେ ଜଳ ପ୍ରଵେଶ କରିଛି । ଗୁରୁବାର ସକାଳୁ ଆନନ୍ଦପୁର ଠାରେ ବୈତରଣୀ ନଦୀରେ ୪୦.୩୫ ମିଟର ଜଳସ୍ତର ରହିଛି । ଯାହା ବିପଦ ସଂକେତ ଠାରୁ ବୁଧବାର ଅପେକ୍ଷା କିଛି ତଳକୁ ଖସିଛି ।

ସେହିଭଳି  ଭଦ୍ରକର ଆଖୁଆପଦା ଠାରେ ୧୯.୭ ମିଟର ରହିଛି ଜଳ ସ୍ତର । ଯାହାକି ଦୁଇ ମିଟର ବିପଦ ସଂକେତ ଉପରେ ରହିଥିବା କୁହାଯାଇଛି । ଆନନ୍ଦପୁରଠାରେ ଜଳସ୍ତର ହ୍ରାସ ପାଇବାର ୮ରୁ ୯ ଘଣ୍ଟା ପରେ ଆଖୁଆପଦା ଠାରେ ଜଳସ୍ତର ହ୍ରାସ ପାଇଥାଏ । ତେଣୁ ଗୁରୁବାର ଅପରହ୍ନ ୩ଟା ପରେ ଜଳସ୍ତର ହ୍ରାସ ପାଇବା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

ସେହିଭଳି ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁରଠାରେ ଅଧିକ ବର୍ଷା ହୋଇଛି । ସୁନ୍ଦରଗଡ଼ରେ ଅଧିକ ବର୍ଷା କାରଣରୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢ଼ିଥିବା ଦେଖାଯାଇଛି । ଇବ୍‌ ଓ ଭେଡେନ୍‌ ନଦୀରେ ୩ ଲକ୍ଷ କ୍ୟୁସେକ୍‌ ଜଳ ହୀରାକୁଦରେ ପ୍ରବେଶ କରିଥିବା ପାଣିପାଗ ବିଭାଗ କହିଛି । ସେହିଭଳି ମାଲକାନଗିରିରେ ୫୦ ମିଲିମିଟର ବର୍ଷା ହୋଇଛି । ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶାରେ ଦୁଇ ଶହ ମିଲିମିଟରର ବର୍ଷା ହୋଇଥିବାରୁ, ବ୍ରାହ୍ମଣୀରେ ଜଳସ୍ତର ବଢ଼ିଥିବା ଜଣାପଡ଼ିଛି ।

ବ୍ରାହ୍ମଣୀର ଉପରମୁଣ୍ଡକୁ ଦେଖି ତଳମୁଣ୍ଡରେ ରିଜର୍ଭର ପରିଚାଳନା ହେଉଛି । ବର୍ତ୍ତମାନ ସୁଦ୍ଧା ରେଙ୍ଗାଲିରେ ଜଳ ପତନ ୧୨୩.୫୬ ମିଟର ରହିଛି । ଏଥିରେ ଆହୁରି ଦୁଇ ମିଟର ପର୍ଯ୍ୟନ୍ତ ଜଳ ସ୍ତର ଉପରକୁ ଉଠିଲେ ମଧ୍ୟ କୌଣସି ବିପଦ ନଥିବା କୁହାଯାଉଛି । ବୁଧବାର ସନ୍ଧ୍ୟା ସୁଦ୍ଧା ବର୍ଷା ନଥିଲା । ହେଲେ ସନ୍ଧ୍ୟା ପରେ ପ୍ରବଳ ହୋଇଛି । ହୀରାକୁଦରେ ବର୍ତ୍ତମାନ ୪ଲକ୍ଷ ୪୫ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ୧ ଲକ୍ଷ ୯୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ସେହିଭଳି ତେଲ ନଦୀରୁ ୧ ଲକ୍ଷ ୫୦ ହାଜର କ୍ୟୁସେକ୍‌ ଜଳ ମହାନଦୀକୁ ପ୍ରବେଶ କରୁଛି ।

ଅନ୍ୟପଟେ ଲଗାଣ ବର୍ଷା ପରେ ସ୍ଥିତି ପରଖିବା ପାଇଁ ସବୁ ଅଧିକାରୀଙ୍କୁ ଗ୍ରାଉଣ୍ଡ ଜିରୋକୁ ପଠାଯାଇଛି । ଅଧିକାରୀମାନେ ଯାଜପୁର, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି । ରାତ୍ରି ପାଟ୍ରୋଲିଂ ମଧ୍ୟ କରାଯାଉଥିବା ଜଣାପଡ଼ିଛି । ତେବେ ଲଗାଣ ବର୍ଷା ଜନିତ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ଜଣାପଡ଼ିଛି ।

ବୈତରଣୀର ତଳିଆ ଅଞ୍ଚଳ ଯେପରି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗୁରୁବାର ୩ ଟାରୁ ଜଳସ୍ତର କମିବ ବୋଲି ଆଶା କରାଯାଇଛି । ସକାଳ ୬ଟାରେ କାଳୁଡି ବ୍ୟାରେଜରୁ ପାଣି ଛଡା ଯାଇଛି । ଶୁକ୍ରବାର ସନ୍ଧ୍ୟା ୬ଟାରେ ରାଜଘାଟ ପହଞ୍ଚିବ ପହଞ୍ଚିବ ବନ୍ୟା ଜଳ । ତେଣୁ ସୁବର୍ଣ୍ଣରେଖା ବିପଦ ସଂକେତ ଉପରକୁ ଯିବା ସହ ମଧ୍ୟମ ଧରଣର ବର୍ଷା ହେବ ବୋଲି ସମ୍ଭାବନା ରହିଛି । ବୁଢ଼ାବଳଙ୍ଗ ବିପଦ ସଂକେତ ସ୍ତରରେ ଅଛି । ବୈତରଣୀ  ବିପଦ ସଂକେତରଦୁଇ ମିଟର ଉପରେ ଅଛି ।

ଝାଡ଼ଖଣ୍ଡ ଉପରମୁଣ୍ଡ, କୁଚିଣ୍ଡା, ବାରକୋଟରେ ପ୍ରବଳ ବର୍ଷା ହୋଇ ବ୍ରାହ୍ମଣୀରେ ଜଳ ପ୍ରବେଶ କରିଛି । ରେଙ୍ଗାଲି ରେ ପ୍ରତି ଘଣ୍ଟାରେ ୪ ସେଣ୍ଟିମିଟର ଜଳ ସ୍ତର ବଢୁଛି । ବୁଢାବଳଙ୍ଗ ନଦୀ ଜରିଆରେ ବୈତରଣୀ ପାଣି ବି ବ୍ରାହ୍ମଣୀରେ ପଶୁଛି । ତେଣୁ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ ରାଜ୍ୟରେ ଲଗାଣ ବର୍ଷା ନେଇ ପ୍ରଦୀପ ଜେନା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ବ୍ରାହ୍ମଣି ଓ ବୈତରଣୀ ଉପରେ ନଜର ରଖାଯାଇଛି । ଲଗାଣ ବର୍ଷା ହେଉଥିବା ଜଳ ସ୍ତ ବଢ଼ୁଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।

Leave a Reply