ଆଜି ଭାରତ ବନ୍ଦ, ହାଇଆଲର୍ଟରେ RAF ଓ GRP

1 min read

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ଆଜି ଭାରତ ବନ୍ଦ  । ଅଗ୍ନିପଥକୁ ବିରୋଧ କରି ଆଜି କିଛି ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛି  । ଯାହାକୁ ଦେଖି କେତେକ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛନ୍ତି ।RAF ଓ GRPକୁ ହାଇଆଲର୍ଟରେ ରଖାଯାଇଛି  । ହିଂସାକୁ ଆପଣାଉଥିବା ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋରରୁ କଠୋର ଧାରା ଲଗାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ଭାରତ ବନ୍ଦ ସମୟରେ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହ ଡିଜିଟାଲ ସାକ୍ଷୀ (ମୋବାଇଲ, କ୍ୟାମେରା, ସିସିଟିଭି)ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

ହରିୟାଣାର ଫରିଦାବାଦ ପୋଲିସ ଭାରତ ବନ୍ଦକୁ ଦେଖି ୨ ହଜାରରୁ ଅଧିକ ପୋଲିସକର୍ମୀ ମୁତୟନ କରିଛି  । ଅସାମାଜିକଙ୍କ ଉପରେ ନଜର ରଖିବା ପାଇଁ ୧୨ଟି ସ୍ଥାନରେ ପୋଲିସ ବ୍ଲକିଂ କରିବା ସହ ଭିଡିଓଗ୍ରାଫିର ବ୍ୟବସ୍ଥା କରିଛି  । ଦେଶରେ ଅଗ୍ନିପଥ ନିଆଁ ବ୍ୟାପିଥିବାବେଳେ ହରିୟାଣାରେ ହିଂସା ଚରମସୀମାରେ ପହଞ୍ଚିଛି  ।

ସେହିପରି ପ୍ରମୁଖ ବ୍ୟବସାୟିକ ସଂସ୍ଥା, ରାଜ୍ୟ ବିଦ୍ୟୁତ ବୋର୍ଡ, ସଡକ ପରିବହନ ନିଗମ ସହ ସରକାରୀ କାର୍ଯ୍ୟାଳୟକୁ ସୁରକ୍ଷା ପ୍ରଦାନ କରିବା ପାଇଁ କେରଳ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି  । ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଝାଡଖଣ୍ଡରେ ସମସ୍ତ ସ୍କୁଲ ବନ୍ଦ ରହିଛି । ଉତ୍ତର ପ୍ରଦେଶର ପ୍ରମୁଖ ସହରରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି ।

ଅଗ୍ନିପଥ ଯୋଜନାକୁ ବିରୋଧ କରି ଉତ୍ତର ପ୍ରଦେଶର ଆଲିଗଡ, ବଲିଆ, ମଥୁରା, ଦେବରିଆ ସମେତ କେତେକ ଜିଲ୍ଲାରେ ବିକ୍ଷୋଭକାରୀ ରେଳ ସହ ସାଧାରଣ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି ।