spot_img

Latest Posts

ଭାରତ ଯୋଡ଼ ଯାତ୍ରାକୁ ବର୍ଷେ

ନୂଆଦିଲ୍ଲୀ: ଦେଶରୁ ବିଦ୍ବେଷଭାବ ଦୂର ହେବା ଯାଏ ଚାଲିବ ଭାରତ ଯୋଡ ଯାତ୍ରା । ଭାରତ ଯୋଡ ଯାତ୍ରାର ବାର୍ଷିକୀ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି- ଭାରତରୁ ବିଦ୍ବେଷଭାବ ଦୂର ହେବା ଯାଏ ତଥା ଭାରତର ଐକ୍ୟ ପ୍ରତିଷ୍ଠା ହେବା ଯାଏ ଏହି ଯାତ୍ରା ଚାଲିବ । ଗତବର୍ଷ କନ୍ୟାକୁମାରୀରୁ କାଶ୍ମୀର ପ୍ରାୟ ୪ ହଜାର କିଲୋମିଟର ଭାରତ ଯୋଡ ଯାତ୍ରା ହୋଇଥିବାବେଳେ ଏହାର ବ୍ୟାପକ ସଫଳତା ପରିଲକ୍ଷିତ ହୋଇଥିଲା । ରାହୁଲ କହିଛନ୍ତି-ଦେଶର ଉତ୍ତମ ଭବିଷ୍ୟତ ଲାଗି ଭାରତ ଯୋଡ ଯାତ୍ରାର ସ୍ବପ୍ନ ସାକାର ହୋଇଛି । ଦେଶର ଐକ୍ୟ ପ୍ରତିଷ୍ଠା ଦିଗରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ଯାତ୍ରା ।

ଭାରତରେ ସମ୍ପୂର୍ଣ୍ଣ ଐକ୍ୟ ପ୍ରତିଷ୍ଠା ଯାଏ ଏହି ଯାତ୍ରା ଚାଲିବ । ଏହା ତାଙ୍କର ପ୍ରତିଜ୍ଞା । ଏହି ଦୀର୍ଘ ଯାତ୍ରାରେ ୧୨ଟି ସାଧାରଣ ସଭା ଅନୁଷ୍ଠିତ ହୋଇଥିବାବେଳେ ୧୦୦ଟି ପଥପ୍ରାନ୍ତ ସଭା ଓ ୧୩ଟି ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହା ସହ ୩୭୫ରୁ ଅଧିକ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା । ଏହି ଯାତ୍ରାବେଳେ ଦେଶର ବିଭିନ୍ନ ରାଜ୍ୟର ହଜାର ହଜାର ଲୋକ ସାମିଲ ହୋଇଥିଲେ ।

କମଳ ହାସନ, ପୂଜା ଭଟ୍ଟ, ରିୟା ସେନ, ସ୍ବରା ଭାସ୍କର, ରଶ୍ମୀ ଦେଶାଇ, ଆକାଂକ୍ଷା ପୁରୀ, ଅମୋଲ ପାଲେକର ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଥିଲେ । ଏହା ସହ ପୂର୍ବତନ ସେନାମୁଖ୍ୟ ଦୀପକ କାପୁର, ପୂର୍ବତନ ନୌସେନା ଅଧିକାରୀ ଏଲ. ରାମଦାସ, ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ, ପୂର୍ବତନ ଅର୍ଥସଚିବ ଅରବିନ୍ଦ ମାୟାରାମ ପ୍ରମୁଖ ସାମିଲ ହୋଇଥିଲେ । ଏହା ସହ ନ୍ୟାସନାଲ କନଫରେନ୍ସ ନେତା ଫାରୁର ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି, ଶିବସେନାର ଆଦିତ୍ୟ ଠାକରେ, ପ୍ରିୟଙ୍କା ଚତୁର୍ବେଦୀ, ସଞ୍ଜୟ ରାଓ୍ବତ, ଏନସିପିର ସୁପ୍ରିୟା ସୁଲେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲୀକାର୍ଜୁନ ଖଡଗେ ପ୍ରମୁଖ ସାମିଲ ହୋଇଥିଲେ ।

Latest Posts

Don't Miss