ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା, ତିନି ରଥରେ ଯୋଡ଼ା ହେବ ଚକ-ଅଖ

1 min read

ପୁରୀ: ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା  । ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକଅଖ ଡେରା ନୀତି ସଂପନ୍ନ । ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି ରଥରେ ଯୋଖା ହେବ ଚକ-ଅଖ । ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ । ଯାହାକୁ ଚକଅଖ ଡେରା ନୀତି କୁହାଯାଏ । ତିନିବାଡର ପୂଜାପଣ୍ଡା ସକାଳଧୁପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିବେ ଓ ଭୋଇ ସେବକ ମାନଙ୍କ ଦ୍ବାରା ପ୍ରଥମ ହରିବୋଲ ପଡିବ । ତେବେ ଭଉଁରୀ ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡାନ୍ତ ହୋଇଛି । ପ୍ରାତଃ ୩ଟାରେ ସିଂହଦ୍ଵାର ଫିଟାଯାଇ ମଙ୍ଗଳଆଳତୀ ହୋଇଛି । ମଇଲମ,ଅବକାଶ ଇତ୍ୟାଦି ନୀତି ବଢିବା ପରେ ୭.୩୦ରୁ ୯ଟା ମଧ୍ୟରେ ସକାଳଧୂପ ଶେଷ ହୋଇ ୯.୩0ରେ ରଥଖଳା ନିକଟକୁ ଆଜ୍ଞାମାଳ ବିଜେ ହେବ।

ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତବର୍ଷ ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଜଳକ୍ରୀଡା ସମୟରେ ବାଣ ଵିଷ୍ପୋରଣରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଜୀବନ ଯାଇଥିବା ବେଳେ ଚଳିତବର୍ଷ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଅଗ୍ନିଶମ ବାହିନୀ ଓ ଲାଇଫଗାର୍ଡକୁ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟପକ ମାତ୍ରାରେ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି  ।

ତେବେ ପ୍ରତ୍ୟକଟି ସୁରକ୍ଷା ବ୍ୟବସ୍ଥାର ଟିଖନିଖ୍ ଅନୁଧ୍ୟାନ କରିଥିଲେ ପୁରୀ ଏସପି ବିନୀତ ଅଗ୍ରୱାଲ  । ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନରେନ୍ଦ୍ର କୋଣ ଠାରୁ ଶୌଚାଳୟ ଛକ ପର୍ଯ୍ୟନ୍ତ ଗାଳି ଚଳାଚଳ ବନ୍ଦ ରଖାଯାଇଛି । ସେହିଭଳି ଶୌଚାଳୟ ଛକ ଠାରୁ ଦେବୀ ଘାଟ ଛକ ଏବଂ ମାଜେଣା ଲେନ୍ ଠାରୁ ଅକ୍ଷୟ ପାତ୍ର ଲେନ୍ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି । ସେହିଭଳି ମାର୍କେଟ ସ୍କୋଏଆର ଠାରୁ ନରେନ୍ଦ୍ର କୋଣ ଦେଇ ରାୟବାହାଦୂର ଲେନ୍ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଛି ।