ଭିତରକନିକାରେ ପକ୍ଷୀ ଗଣନା ଶେଷ, ବଢ଼ିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା, କମିଛି ୧୯ ପ୍ରଜାତିଙ୍କ ଆଗମନ

କେନ୍ଦ୍ରାପଡ଼ା: ଭିତରକନିକାରୁ ପକ୍ଷୀ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ଶେଷ ହୋଇଛି ଭିତରକନିକାରେ ଚାଲିଥିବା ପକ୍ଷୀ ଗଣନା । ଗତବର୍ଷ ତୁଳନାରେ ବଢ଼ିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ତେବେ ଗତବର୍ଷ ତୁଳନାରେ କମ ପ୍ରଜାତିର ପକ୍ଷୀ ଚଳିତବର୍ଷ ଭିତରକନିକାକୁ ଆସିଛନ୍ତି । ଯାହା ପକ୍ଷୀ ପ୍ରେମୀଙ୍କୁ କିଛିମାତ୍ରାରେ ନିରାଶ କରିଛି ।

ଗତକାଲି ବନ ବିଭାଗ ପକ୍ଷରୁ ହୋଇଥିବା ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ କରାଯାଇଥିଲା । ତଥ୍ୟ ଅନୁସାରେ ଗତବର୍ଷ ତୁଳନାରେ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାକୁ ଚଳିତବର୍ଷ ଅଧିକ ପକ୍ଷୀ ଆସିଛନ୍ତି । ଗତବର୍ଷ ୧ ଲକ୍ଷ ୩୯ ହଜାର ୯୫୯ ପକ୍ଷୀ ଆସିଥିଲେ । ତେବେ ଚଳିତବର୍ଷ ସଂଖ୍ୟା ବଢ଼ି ୧ ଲକ୍ଷ ୫୧ ହଜାର ୪୨୧ରେ ପହଞ୍ଚିଛି । ଅର୍ଥାତ, ଚଳିତବର୍ଷ ୧୧ ହଜାର ୪୬୨ ପକ୍ଷୀ ଅଧିକ ଆସିଛନ୍ତି ।

ସେହିପରି ଗତବର୍ଷ ଭିତରକନିକାକୁ ୧୪୦ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୨୧ ପ୍ରଜାତିର ପକ୍ଷୀଙ୍କ ଆଗମନ ଘଟିଛି । ଗତବର୍ଷ ତୁଳନାରେ ୧୯ ପ୍ରଜାତିର ପକ୍ଷୀ କମ ଆସିଛନ୍ତି ।