ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଅନ୍ଯତମ ହେଭିୱେଟ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଅନ୍ଯତମ ହେଭିୱେଟ ଭୃଗୁ ବକ୍ସିପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବିଜେପି ଉପସଭାପତି, ସାଧାରଣ ସମ୍ପାଦକ ରହିଥିବା ଭୃଗୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି। ଓଡ଼ିଶା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜେଡି ଅଧିକ ସୁସଂଗଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ସସ୍ମିତ ପାତ୍ର, ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

୨୩ ବର୍ଷ ପରେ ଆଉ ଏକ ନୂଆ ଅଧ୍ଯାୟ ଆରମ୍ଭ ହେଲା। ନୂଆ ପରିବାର ସହ ମୋ ପରିବାରର ବହୁ ଦଶନ୍ଧି ଧରି ସମ୍ପର୍କ ରହି ଆସିଛି। ଓଡ଼ିଶାର ସାମୟିକ ବିକାଶ, ମାଲକାନଗିରିରୁ ମୟୂରଭଞ୍ଜ ଯାଏଁ ଯେପରି ଦ୍ରୁତ ଗତିରେ ଚାଲିଛି, ତାକୁ ଆହୁରି ଶକ୍ତିଶାଳୀ, ସମୃଦ୍ଧ ଓ ଟାଣୁଆ ଓଡ଼ିଶା ଗଠନ ପାଇଁ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ପରି ବାଲି ଝଡ଼ାଇବାକୁ ଆସିଛି ବୋଲି କହିଛନ୍ତି ଭୃଗୁ। ଯେଉଁ ଦଳରେ ଥିଲି, ତାକୁ କୃତଜ୍ଞତା ଜଣାଉଛି। କିଛି ଦିନରୁ ମନ ମାନିଲା ନାହିଁ, ତେଣୁ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲି । ବିଜେପି ଓଡ଼ିଶା ଶାଖା ଓ ଦେଶ ପାର୍ଟି ଭିତରେ ଆକାଶ ପାତାଳ ଫରକ ଅଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁରି ବ୍ୟାପକ କରିବି ବୋଲି କହିଛନ୍ତି ଭୃଗୁ ।