ଭୁବନେଶ୍ୱର ପାଲଟିଛି ଆନ୍ତଃରାଜ୍ୟ ଲୁଟେରାଙ୍କ ସେଫ ପ୍ଲେସ: ଅଭିଯୁକ୍ତଙ୍କ ଭୟରେ ଥର ହର ରାଜଧାନୀ
1 min read
ଭୁବନେଶ୍ୱର ପାଲଟିଛି ଆନ୍ତଃରାଜ୍ୟ ଲୁଟେରାଙ୍କ ସେଫ ପ୍ଲେସ । ଅଭିଯୁକ୍ତଙ୍କ ଭୟରେ ଥର ହର ରାଜଧାନୀ । ଗଳିକନ୍ଦି ରେ ବୁଲୁଛନ୍ତି ଦୁର୍ବୃତ୍ତଙ୍କ ଏଜେଣ୍ଟ । ବଡ଼ ବଡ଼ୁଅଙ୍କ ଘରକୁ କରୁଛନ୍ତି ସଫ୍ଟ ଟାର୍ଗେଟ । ଲୁଟୁଛନ୍ତି ହାଣୁଛନ୍ତି ଆବଶକ୍ୟତା ପଡିଲେ ହତ୍ୟା ବି କରୁଛନ୍ତି । ଟିକିଏ ମନେ ପକାନ୍ତୁ ସେ ଦିନର ଏୟାରଫିଲଡ଼ ଥାନାର ଛାତିଥରା ଘଟଣା । ଲବଣଗିରିରୁ ଚେନ ଝାମ୍ପିଲା ବେଳେ, ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଆପର୍ଟମେଣ୍ଟ ରେ ଘର ଭଡ଼ା ନେଇ, ସାଇବର ଠକ ମାନେ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଟଙ୍କା ବୋହି ନେଲେ । ପରେ ପରେ ବିବାହ ମଣ୍ଡପରୁ ଟଙ୍କା, ସୁନା ଗହଣା ମାରାଥନ ଚୋରି କରି ପୋଲିସକୁ ଘାଇଲା କଲେ । ଖାଲି ସେତିକି ନୁହେଁ କଂଗ୍ରେସର ହେଭିୱେଟ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସକୁ ନାକରେ ପାଣି ପିଆଇଲେ । ଆଉ ଦିଲ୍ଲୀରୁ ବନ୍ଧା ହେଲେ ଏହି ହାଇ ପ୍ରୋଫାଇଲ ଲୁଟେରା ଗ୍ୟାଙ୍ଗ । ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଲା ।
ରାଜଧାନୀ ଭିତରେ ଘଟୁଥିବା ବଡ଼ ବଡ଼ ଅପରାଧରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି ଜଳ ଜଳ ଦିଶୁଛି । ତେବେ ଅପରାଧ ଘଟାଇବା ପରେ, ଧରା ପଡ଼ୁଛନ୍ତି ଲୁଟେରା । କିନ୍ତୁ ଆଡ୍ଡା ସ୍ଥଳୀ, ପ୍ରି ପ୍ଲାନ, ବେଳେ ଖସି ଯାଉ ଥିବାରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୋଲିସ । ବାହାର ରାଜ୍ୟର ପୋଲିସ ସହ ଯୋଗାଯୋଗ କରୁଛି ସ୍ପେଶାଲ ସ୍କ୍ବାଡ । ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ଖୋଜିବା ସହ ତାଲିକା ବି ପ୍ରସ୍ତୁତ କରୁଛି ସ୍ପେଶାଲ ଟିମ । ଓଡ଼ିଶାର କିଛି ହାର୍ଡକୋର ଙ୍କ ସମ୍ପର୍କରେ ତେଲେଙ୍ଗାନା , ବିହାର, ଆନ୍ଧ୍ର ପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ ସହଯୋଗର ଲୋଡ଼ିଛି କମିଶନରେଟ ପୋଲିସ । କାହିଁକି ଭୁବନେଶ୍ୱରକୁ ସୁରକ୍ଷିତ ସ୍ଥାନ ଭାବେ ବାଛୁଛନ୍ତି ଅପରାଧୀ ? ବେଧଡ଼କ ଭାବରେ ଅପରାଧ କରି, ରାଜ୍ୟ ଭିତରୁ କେମିତି ବାହାରକୁ ଖସି ଯାଉଛନ୍ତି ? ସ୍ମାର୍ଟ ସିଟରେ ସ୍ମାର୍ଟ ପୋଲିସ ଅଛନ୍ତି I କୋଟି କୋଟି ଟଙ୍କାର କ୍ୟାମେରା ସହର ଜଗିଛି , ତଥାପି କେମିତି ଚକମା ଖାଇ ଯାଉଛି ପୋଲିସ ? ଏସବୁ ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି ।