ପୁଣି ରାଜଧାନୀରେ ମାତିଲେ ଲୁଟେରା, ଆପାର୍ଟମେଣ୍ଟରେ ପଶି ବୁଲାଇଲେ କଳାକନା

ଭୁବନେଶ୍ବର: ପୁଣି ଚକମା ଦେଲେ ଲୁଟେରା । ଆପାର୍ଟମେଣ୍ଟରେ ପଶି ବୁଲାଇଲେ କଳାକନା । ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିରେ । ୨ ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି । ଫ୍ଲାଟ ନମ୍ବର ୧୦୪ ଓ ୨୦୧ ରୁ ଲୁଟପାଟ କରିଛନ୍ତି ଲୁଟେରା । ଦୁଇଟି ଯାକ ଫ୍ଲାଟରେ କେହି ନଥିବାର ସୁଯୋଗରେ କଳାକନା ବୁଲାଇଛନ୍ତି ଲୁଟେରା । ଗୋଟିଏ ଫ୍ଲାଟର ମାଲିକ ରାଉରକେଲା ଯାଇଥିବା ବେଳେ ଅନ୍ୟ ଫ୍ଲାଟ ମାଲିକ ନିଜ ଝିଅ ପାଖକୁ ବାଙ୍ଗାଲୋର ଯାଇଥିଲେ । ଗୋଟିଏ ଫ୍ଲାଟର ଚାବି ସିକ୍ୟୁରିଟି ଗାର୍ଡ ପାଖରେ ଥିଲା । ତେବେ ତାଲା କାଟି ଲୁଟି ନେଇଛନ୍ତି ଲୁଟେରା। ନନ୍ଦିଘୋଷ ଟିଭି ହାତରେ ଲାଗିଥିବା ଏହି ସିସିଟିଭିରେ ଲୁଟେରା ମୁଖା ପିନ୍ଧି କିଭଳି ଏପଟ ସେପଟ ହେଉଛି । ଗତକାଲି ରାତିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଫ୍ଲାଟରୁ ଲୁଟ କରାଯାଇଛି । ସେପଟେ ପୋଲିସ ପେଟ୍ରୋଲି କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ । ସୋସାଇଟିରେ ସିକ୍ୟୁରିଟି ଓ ସିସିଟିଭି କାମ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ପାଇଁ ମଧ୍ୟ ଏହି ଲୁଟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତକାଲି ପାହାଳ ଓ ପଟିଆ ଅଞ୍ଚଳରୁ ସିରିଜ ଲୁଟ ପରେ ଆଜିର ଏହି ଘଟଣା କମିଶନରେଟ ପୋଲିସର ନିଦ ହଜାଇ ଦେଇଛି ।