ବିନା ତଲାକରେ ଦ୍ୱିତୀୟ ବିବାହ : ଥାନାରେ ପତ୍ନୀଙ୍କ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବିନା ତଲାକରେ ସ୍ଵାମୀର ଦ୍ୱିତୀୟ ବିବାହ ଅଭିଯୋଗରେ ଥାନାରେ ଦ୍ଵାରସ୍ଥ ହେଲେ ପତ୍ନୀ । ମହିଳା ଜଣକ ଭୁବନେଶ୍ୱର ଯଦୁପୁର ଅଞ୍ଚଳରେ ଶେଖ୍ ସବିରଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କର ଏବେ ଦୁଇଟି ଝିଅ ଅଛନ୍ତି । ହେଲେ ଗତ ଦେଢ଼ବର୍ଷ ହେବ ଉଭୟ ଅଲଗା ହୋଇ ରହୁଛନ୍ତି । ଆଉ ଏବେ ତାଙ୍କ ସ୍ଵାମୀ ଶେଖ୍ ସବିର ବିନା ଛାଡ଼ପତ୍ରରେ ଆଉ ଜଣେ ଝିଅଙ୍କୁ ବିବାହ କରୁଥିବା ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା । ଅନ୍ୟପଟେ ଥାନାରେ ଦ୍ଵାରସ୍ଥ ହୋଇଛନ୍ତି ମହିଳାଙ୍କ ସ୍ଵାମୀ ଶେଖ୍ ସବିର । ଅଭିଯୋଗକୁ ସେ ଖଣ୍ଡନ କରିବା ସହ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି । ଘଟଣାର ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ ।