ଲୁଟେରା ପର୍ଶୁରାମ ଗିରଫ: ହାପ ପ୍ୟାଣ୍ଟ ପିନ୍ଧ ବୁଲୁଥିଲା, ବିନା ଚପଲରେ ଲୁଟୁଥିଲା

ଭୁବନେଶ୍ବର: କମିଶନରେଟ ହାତରେ ଲାଗିଛି ରାଜଧାନୀରେ ଲୁଟପାତ ଚଲାଇଥିବା କୁଖ୍ୟାତ ଲୁଟେରା ପର୍ଶୁରାମ ଗିରି । ଲକ୍ଷ ଲକ୍ଷ ଟଙ୍କା ଲୁଟି ସେଭେନ ଷ୍ଟାର ହୋଟେଲରେ ରାତି ବିତାଇବା ସହ, ପବ ଓ ବାରରେ ଟଙ୍କା ଉଡ଼ାଉଥିଲା । ହେଲେ ଚୋରର ଲୁଟ ତରିକା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଲୁଟେରା ପର୍ଶୁରାମ ରାଜଧାନୀରେ ହାପ ପ୍ୟାଣ୍ଟ ପିନ୍ଧି ବୁଲିବା ସହ ଲୁଟ ବେଳେ ଜୋତା ବ୍ୟବହାର କରୁନଥିଲା ।

ଲୁଟେରା ପାଖରୁ ୨୧ ଲକ୍ଷ ଜବତ

ପୋଲିସ ସୂଚନାଅନୁସାରେ, ଅଭିଯୁକ୍ତ ପର୍ଶୁରାମ ନାଁରେ ରହିଛି ୫୦ରୁ ଅଧିକ ମାମଲା । ଘର ବାଲେଶ୍ଵର ଜିଲ୍ଲା ସୋରରେ । ଭୁବନେଶ୍ୱରର ବଡ଼ଗଡ଼, ପାହାଳ, ମଞ୍ଚେଶ୍ୱର, ଲିଙ୍ଗରାଜ, ଶହୀଦନଗର ଥାନାରେ ଅଭିଯୁକ୍ତ ନାଁରେ ୨୧ଟି ମାମଲା ରହିଛି । ଅଭିଯୁକ୍ତଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଯେପରିକି ୨୧ ଲକ୍ଷ ଟଙ୍କା, ୭ ଶହ ଗ୍ରାମ ସୁନା, ୭ କେଜି ରୂପା ଜବତ କରାଯାଇଛି ।

ସିସିଟିଭିକୁ ଖାତିର କରୁ ନଥିଲା ଲୁଟେରା

ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ଚୋରି ସମ୍ପତ୍ତି ଜବତ କରାଯାଇଛି । ସେପଟେ ଅଭିଯୁକ୍ତର ଷ୍ଟାଇଲ ଦେଖି ତାଜୁବ ହୋଇଛି ପୋଲିସ । ଲୁଟ ଟଙ୍କାରେ ଅଭିଯୁକ୍ତ ଜଣଙ୍କ ଗୋଆ, ମୁମ୍ବାଇ, କୋଲକାତା ବୁଲୁଥିଲା । ତାଜ ଭଳି ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ଭୁବନେଶ୍ୱର ବଡ଼ଗଡ଼ରେ ୫ଟି ଫ୍ଲାଟ କରି ଭଡାରେ ଦେଇଥିଲା ଲୁଟେରା । ନିଜ ଗାଁ ସୋରରେ ମଧ୍ୟ ଅଭିଯୁକ୍ତର ଘର ରହିଛି । ଏଲଆଇସିରେ ଲକ୍ଷାଧିକ ଟଙ୍କା ରଖିଥିବା ମଧ୍ୟ ଜାଣିବାକୁ ପାଇଛି ପୋଲିସ । ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଏହି ଅଭିଯୁକ୍ତ ସିସିଟିଭିକୁ ମଧ୍ୟ ଖାତିର କରୁ ନଥିଲା । ଅଭିଯୁକ୍ତକୁ ଧରିବା ପରେ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ ।