spot_img

Latest Posts

ଭୁବନେଶ୍ବରରେ ରାଜ୍ଯସ୍ତରୀୟ ସ୍ବାଧୀନତା ଦିବସ ପାଳିତ, ମହାପୁରୁଷଙ୍କ ଅବଦାନକୁ ସ୍ମରଣ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ । ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ବାହିନୀ ଦ୍ୱାରା ଆକର୍ଷଣୀୟ ପରେଡର ଆୟୋଜନ ମଧ୍ୟ ହୋଇଥିଲା । ୭୮ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିଭାଷଣ ଦେବା ସହ ବୀର ମହାପୁରୁଷଙ୍କ ଅବଦାନକୁ ସ୍ମରଣ କଲେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ।

ଦେଶର ସ୍ବାଧୀନତା ସଂଗ୍ରାମରେ ଓଡିଶାର ବୀରପୁତ୍ରମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଗୋପବନ୍ଧୁ ଚୌଧୁରୀ, ସୁରେନ୍ଦ୍ର ସାଏ, ମାଧୋ ସିଂ, ମାଳତୀ ଚୌଧୁରୀ, ବିଜୁ ପଟ୍ଟନାୟକ ପ୍ରମୁଖଙ୍କ ଅସୀମ ତ୍ଯାଗବଳରେ ଭାରତ ସ୍ବାଧୀନତା ଲାଭ କରିଥିଲା ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାଧୀନତା ଦିବସ ପାଳନ ଅବସରରେ ସେ କହିଥିଲେ, ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଭାରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଦେଶ ପାଲଟିଛି। ଦେଶର ଅର୍ଥନୀତି ୪ ଟ୍ରିଲିୟନ ଡଲାର ହୋଇସାରିଲାଣି। ମାତ୍ର ୧୦ ବର୍ଷରେ ଭାରତର ପଞ୍ଚମ ବୃହତ ସ୍ଥାନରେ ପହଞ୍ଚିଛି। ଏହି ମାଟିରେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। ଓଡ଼ିଶା ଗଠନରେ ମଧୁସୂଦନ ଦାସ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗୌରୀ ଶଙ୍କର ରାୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା। ଫକିର ମୋହନ ସେନାପତିଙ୍କ ପରି ନେକ କବି ଓ ଲେଖକ ସ୍ବାଧୀନତା ସଂଗ୍ରାମୀକୁ ଆଗେଇ ନେଇଥିଲେ।

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସେ କହିଛନ୍ତି, ଓଡ଼ିଆ ଅସ୍ମିତାର ସୁରକ୍ଷା ଲାଗି ନୂଆ ଆହ୍ବାନ ଆସିଛି। ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ପାଳନ କରୁଛନ୍ତି ରାଜ୍ଯ ସରକାର। ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ସହ ଓ ରତ୍ନ ଭଣ୍ଡାର ଖୋଲିଛନ୍ତି ସରକାର। କୃଷକ ଓ ମହିଳାଙ୍କ ଆର୍ଥିକ ଉନ୍ନତି ହିଁ ରାଜ୍ଯ ସରକାରଙ୍କ ସଂକଳ୍ପ। ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା କରାଯାଇଛି। ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ରାଜ୍ଯର ଉନ୍ନତି ସମ୍ଭବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ।

ସେ କହିଛନ୍ତି, ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ଲାଗି ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇଛି। ୪୮୦ କିଲୋମିଟର ଉପକୂଳ ରାଜପଥର ବିକାଶ କରାଯିବ। ରେଳବାଇର ବିକାଶ ଲାଗି ୬ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ନୂତନ ଜାତୀୟ ରାଜପଥ ଲାଗି ୨୧,୬୫୦ ମଞ୍ଜୁର ହୋଇଛି। ନୀଳ ଅର୍ଥନୀତିର ବିକାଶ ଲକ୍ଷ୍ଯ ରାଜ୍ଯ ସରକାରଙ୍କ ରହିଛି। ଜନଜାତିଙ୍କ ବିକାଶ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଆସନ୍ତା ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରାଯିବ। ରାଜ୍ଯରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜାରି ରହିଛି। ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ଲାଗି ରାଜ୍ଯବାସୀ ଗର୍ବିତ। ରାଜ୍ଯର ମେଧାବୀ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦିଆଯାଉଛି ବୋଲି କହିଥିଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ।

Latest Posts

Don't Miss