ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲା କମିଟି ପୁନର୍ଗଠିତ

ଭୁବନେଶ୍ୱର: ପୁନର୍ଗଠିତ ହୋଇଛି ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲା କମିଟି । ସୁଶାନ୍ତ ରାଉତ ହୋଇଛନ୍ତି ବିଜୁ ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି । ସେହିପରି ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଏକାମ୍ର ବିଧାନସଭା କ୍ଷେତ୍ର ପାଇଁ ୮ ଜଣଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ୭ଜଣଙ୍କୁ ଉପସଭାପତି, ୬ ଜଣଙ୍କୁ ସାଧାରଣ ସଂପାଦକ ଏବଂ ୨୪ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ମିଳିଛି ।

ସେହିପରି ମଧ୍ୟ ବିଧାନସଭା କ୍ଷେତ୍ର ପାଇଁ ୯ ଜଣଙ୍କୁ ଉପଦେଷ୍ଟା, ୧୦ ଜଣଙ୍କୁ ଉପସଭାପତି, ୧୨ ଜଣଙ୍କୁ ସାଧାରଣ ସଂପାଦକ ଏବଂ ୨୩ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ମିଳିଛି । ଅନ୍ୟପଟେ ଉତ୍ତର ବିଧାନସଭା କ୍ଷେତ୍ର ପାଇଁ ୧୦ ଜଣ ଉପଦେଷ୍ଟା, ୧୦ ଜଣ ଉପସଭାପତି, ୯ଜଣ ସାଧାରଣ ସଂପାଦକ ଏବଂ ୨୫ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଅନ୍ୟପଟେ ଦଳରୁ ବହିଷ୍କୃତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ସନ୍ତୋଷ ଜେନା । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଥିବା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।