ଦେଶର ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ବର, ୫ ଦିନ ନାହିଁ ନିସ୍ତାର

ଭୁବନେଶ୍ବର: ସାରା ରାଜ୍ଯରେ ତାତିର କର୍ପ୍ୟୁ । ଟୁଇନସିଟିକୁ ରେଡ ଆଲର୍ଟ । ଦେଶର ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ବର । ୫ ଦିନ ପର୍ଯ୍ଯନ୍ତ ତାତିରୁ ନାହିଁ ନିସ୍ତାର। ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ପିକ୍ ଆୱାରରେ ଘାତକ ହୋଇପାରେ ନିଶା ସେବନ । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା , ଖୋର୍ଦ୍ଧା ଏବଂ କଟକକୁ ରେଡ ଆଲର୍ଟ ଜାରି ହୋଇଛି । ସେହିପରି ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଓ ପୁରୀ, କୋରାପୁଟ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୧୩ ଜିଲ୍ଳାକୁ ରେଡ ଆଲର୍ଟ ଜାରି ହୋଇଛି। ଉତ୍ତରର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ଅଧିକ ରହିବ । ଏନେଇ ୧୫ ଜିଲ୍ଲାକୁ ଅରେଞ୍ଜ ଓ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ବିଶେଷକରି ଆଗାମୀ ତିନିଦିନ ପର୍ଯ୍ୟନ୍ତ ୩୦ ଟି ଜିଲ୍ଲା ଚେତାବନୀ ପରିସରରେ ରହିବ।

୨୯ ତାରିଖ ପରେ ସାମାନ୍ୟ ତାତି କମିବ । ଦକ୍ଷିଣ ଉପକୂଳବର୍ତ୍ତୀ ଓଡିଶା ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସାମୁଦ୍ରିକ ବାୟୁ ପ୍ରବାହର ସମ୍ଭାବନା ରହିଛି । କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏପ୍ରିଲ ମାସର ୨୦୧୦ ପରର ସବୁଠାରୁ ବଡ ସ୍ପେଲ ଗ୍ରୀଷ୍ମ ପ୍ରବାହ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ବିଗତ ୧୨ ଦିନ ହେବ ରାଜଧାନୀ ତାପମାତ୍ରା ଲଗାତାର ୪୦ ଉପରେ ରହିଥିବା ବେଳେ ଆଜି ୪୪.୬ ଡିଗ୍ରୀ ଛୁଇଁଛି । ୨୦୧୬ ଏପ୍ରିଲ ୧୧ ତାରିଖରେ ଭୁବନେଶ୍ବରରେ ୪୫.୮ ଡିଗ୍ରୀ ଛୁଇଁଥିଲା ।

ତାତିର ପ୍ରକୋପରୁ ବଞ୍ଚିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । କାମ ନଥିଲେ ଦିନ ୧୧ ଟାରୁ ୩ଟା ପିକ ସମୟ ମଧ୍ୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ନିଶା ସେବନ କରୁଛନ୍ତି ସେମାନେ ଖରାରେ ଏହାକୁ ବ୍ଯବହାର ନକରିବାକୁ ପରାମର୍ଶ ଦିଆଯାଇଛି ।