ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ନଜରରେ ପୁତିନ ହତ୍ୟାକାରୀ, କହିଲେ ଫଳ ଭୋଗିବାକୁ ପ୍ରସ୍ତୁତ ରୁହ

ଓ୍ୱାଶଂଟନ୍‌:  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ‘ହତ୍ୟାକାରୀ’ ବୋଲି କହିଥିଲେ । ଯାହାକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଥିଲା । ଋଷ ବିରୋଧ ପ୍ରକଟ କରି ୱାସିଂଟନରେ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଥିଲା ।

ସୂଚନାଯୋଗ୍ୟ ଯେ, ନିକଟରେ ବାଇଡେନ୍ ଏବିସି ନ୍ୟୁଜକୁ ଏକ ସାକ୍ଷାତକାର ଦେଇଥିଲେ । ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ, ୨୦୧୬ ଓ ୨୦୨୦ ଆମେରିକା ନିର୍ବାଚନକୁ ପ୍ରଭାବିତ କରିବାକୁ ଋଷ ଚେଷ୍ଟା କରିଥିଲା । ଏଥିପାଇଁ ଏକ ଗୁପ୍ତ ଯୋଜନା ମଧ୍ୟ ହୋଇଥିଲା । ଏହି ମିଶନ ପୁତିନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା କିମ୍ବା ଅତିକମରେ ସେ ଏହାକୁ ମଂଜୁରୀ ଦେଇଥିଲେ ବୋଲି ଆମେରିକା ସିନେଟର ଏକ ରିପୋର୍ଟରେ ଦାବି କରାଯାଇଥିଲା । ଏହି ରିପୋର୍ଟକୁ ବାଇଡେନ ବିଶ୍ୱାସ କରନ୍ତି କି ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ରପତି ହଁ ବୋଲି କହିଥିଲେ ।

ବାଇଡେନ କହିଥିଲେ ଯେ, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ପୁତିନଙ୍କୁ ଫୋନ୍ କରିଥିଲେ । ଫୋନରେ କଥା ହେବା ବେଳେ ସେ ଋଷ ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇଥିଲେ ଯେ, ଆମେରିକା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ସେ ଉଦ୍ୟମ କରିଥିବା କଥା ଯଦି ପ୍ରମାଣିତ ହୁଏ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାଇଡେନ୍,ପୁତିନଙ୍କୁ ଏହା ମଧ୍ୟ କହିଥିଲେ ଯେ, ତୁମେ ମୋତେ ଜାଣ ଓ ମୁଁ ତୁମକୁ ଜାଣେ । ତେଣୁ ଯଦି ଏହି କଥା ସତ ହୋଇଥାଏ ତେବେ ପରିଣାମ ଭୋଗ କରିବା ପାଇଁ ପ୍ରସ୍ତୁତ ରୁହ ।

 

ପୁତିନ ବିରୋଧୀ ନେତା ଆଲେକ୍ସି ନଭାଲିନି ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ ହତ୍ୟା ପଛରେ ପୁତିନଙ୍କ ହାତ ଅଛି ନା ନାହିଁ । ପୁତିନଙ୍କ ଆଦେଶରେ ଏହି ନେତା ମାନଙ୍କୁ ବିଷ ଦିଆଯାଇଥିଲା କି ? ଆପଣ ପୁତିନଙ୍କୁ ହତ୍ୟାକାରୀ ବୋଲି ଭାବନ୍ତି କି ? ପ୍ରଶ୍ନର ଉତ୍ତର ଦେଇ ବାଇଡେନ୍ କହିଥିଲେ ଯେ, ହଁ ମୁଁ ତାଙ୍କୁ ହତ୍ୟାକାରୀ ବୋଲି ଭାବେ ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଫକ୍ସ ନ୍ୟୁଜକୁ ସାକ୍ଷାତକାର ବେଳେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାନ ପ୍ରଶ୍ନ ପଚରାଯାଇଥିଲା । ପୁତିନ ବିରୋଧୀଙ୍କୁ ବିଷ ଦେଇ ହତ୍ୟା କରୁଛନ୍ତି ଓ ସେ ହତ୍ୟାକାରୀ କି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, ପୁତିନଙ୍କୁ ମୁଁ ସମ୍ମାନ ଦିଏ । ଦୁନିଆରେ ଅନେକ ହତ୍ୟାକାରୀ ଅଛନ୍ତି । ଆପଣଙ୍କୁ କ’ଣ ଲାଗୁଛି ଆମ ଦେଶରେ କଣ ଖାଲି ନିରିହ ଲୋକ ଅଛନ୍ତି ?

ଟ୍ରମ୍ପଙ୍କ ଅମଳରେ ଆମେରିକା ଋଷ ନିକଟବର୍ତ୍ତି ହେବା ଭଳି ଲାଗୁଥିଲା । କିନ୍ତୁ ଏବେ ବାଇଡେନଙ୍କ ଅମଳରେ ଆମେରିକା ଓ ଋଷ ମଧ୍ୟରେ ସେଇ ଶିତଳ ଯୁଦ୍ଧ କାଳିନ ସନ୍ଦେହ ଓ ସ୍ପର୍ଦ୍ଧା ବୃଦ୍ଧି ପାଉଥିବା ଲାଗୁଛି । ବାଇଡେନଙ୍କ ସିଧା ଧମକ ଓ ଋଷର ରାଷ୍ଟ୍ରଦୂତ ପ୍ରତ୍ୟାହାର ପରେ ଦୁଇ ଦେଶ ଆଗକୁ ଅତିକମରେ କୂଟନୈତିକ ସ୍ତରରେ ମୁହାଁମୁହିଁ ହେବେ ଏଥିରେ ସନ୍ଦେହ ନାହିଁ ।

Leave a Reply