ପଞ୍ଚାୟତରେ ମହାଦୁର୍ନୀତି: ଭୂତ ବିଲ୍ କରି କରାଯାଇଛି ଟଙ୍କା ହଡ଼ପ, RTI ତଥ୍ୟରୁ ଖୁଲାସା

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତରେ ମହାଦୁର୍ନୀତି । ଭୂତ ବିଲ କରି କରାଯାଇଛି ଟଙ୍କା ହଡ଼ପ । RTI ତଥ୍ୟରୁ ଖୁଲାସା । ଯୁରାବନ୍ଧ ପରି ଉପାନ୍ତ ଅଞ୍ଚଳରେ ଦୁର୍ନୀତିର ଗନ୍ଧ ପାଇ କିଛି ଯୁବକ RTIକୁ ତଥ୍ୟ ମାଗିଥିଲେ । ତଥ୍ୟ ମୁତାବକ ଯୁରାବନ୍ଧ ପଞ୍ଚାୟତର କେଉମାଲ ଗାଁରେ ଖଲିଆମୁଡା ନାଁରେ କୌଣସି ବନ୍ଦ ନଥିଲେ ମଧ୍ୟ ସେହି ନାଁରେ ଲକ୍ଷଲକ୍ଷ ଟଙ୍କା ଉଠାଣ ହୋଇଛି । ସେଭଳି ଚର୍ଚ୍ଚ ଘରକୁ କମ୍ୟୁନିଟି ସେଣ୍ଟର ଓ ଅନେକ ଉନ୍ନୟନ କାମ ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ ହୋଇଛି । ସେ ସମସ୍ତ ଟଙ୍କା ସରପଞ୍ଚଙ୍କ ବାପାଙ୍କ ଆକାଉଣ୍ଟକୁ ଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ବାପାଙ୍କ ଭେଣ୍ଡର ଆଇଡି ନଥିବା ବେଳେ କେମିତି ତାଙ୍କୁ ଏତେ ଟଙ୍କା ଦିଆଯାଇଛି ତାକୁ ନେଇ ଉଠିଛି ପ୍ରଶ୍ନ ।
ଯୁରାବନ୍ଧ ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଖବର ପାଇ ବିଡିଓ ତଦନ୍ତ କରି ବଲାଙ୍ଗୀର ପିଡିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଯେଉଁଥିରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପଞ୍ଚାୟତ ତରଫରୁ ହୋଇଥିବା ସମସ୍ତ ଉନ୍ନୟନମୂଳକ କାମରେ ସରପଞ୍ଚଙ୍କ ବାପାଙ୍କ ପାଖରେ ଥିବା ଦୁଇଟି ଟ୍ରାକ୍ଟର ବ୍ୟବହାର ହୋଇଛି । ୨ଟି ଟ୍ରାକ୍ଟରର ନମ୍ବର OD 03Q 1510 ଓ OD 02G 5840 । ହେଲେ RTO ରେଜିଷ୍ଟ୍ରେସନ ଅନୁସାରେ ସେହି ଦୁଇଟି ଗାଡି ମୋଟର ସାଇକଲ ଓ ପ୍ଲେଜରର ବୋଲି ଜଣାପଡିଛି । ତେବେ କିପରି ମୋଟର ସାଇକେଲ ଉନ୍ନୟନମୂଳକ କାମରେ ସାମିଲ ହେଲା ? ଏସମସ୍ତ ତଥ୍ୟ ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ପର୍ଦ୍ଦାଫାସ କରିଛି । ସ୍ଥାନୀୟ ଲୋକେ ଘଟଣାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ BDO ଏହାକୁ ପ୍ରିଣ୍ଟିଂ ଏରର କହୁଛନ୍ତି । ଦୁର୍ନୀତିକାରୀ ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ହିଁ ଅପେକ୍ଷା ।