ପାରମ୍ପରିକ ବଳଦ ଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି

ଭୁବନର ବଡ ପର୍ବ ଦଶହରା । ଏହା ପୂର୍ବରୁ ହୋଇଥାଏ ପାରମ୍ପରିକ ବଳଦ ଯାତ୍ରା। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୨ ମାସ ପୂର୍ବରୁ ବଳଦିଆ କମିଟି ତରଫରୁ ବଳଦିଆଙ୍କୁ ଗୁଆ ନଡ଼ିଆ ଦେଇ ବଳଦ ବରଣୀ କରାଯାଇଛି। ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇ ବଳଦକୁ ଗ୍ରାମରେ ଚଲାଇବା ଅଭ୍ୟାସ କରାଯାଉଛି । ବିଶ୍ବାସ ରହିଛି ଶୁଭ ଖୁଣ୍ଟିକୁ ରୀତିନୀତି ଅନୁଯାୟୀ ପୂଜାପାଠ ନକଲେ ଯାତ୍ରାରେ ବଳଦ ଚାଲି ନଥାଏ। ଏଥିସହିତ ଜଙ୍ଗଲରୁ ବଗ ପକ୍ଷୀ ସଂଗ୍ରହ କରି ବିଭିନ୍ନ ରଙ୍ଗରେ ଟାହିଆ ପ୍ରସ୍ତୁତି କରାଯାଏ । ଏହି ଟାହିଆ, ଶୃଙ୍ଗାର, ଘଣ୍ଟ, ପାଲଣ ଓ ଘୁଙ୍ଗୁର ଲଗାଇ ବଳଦକୁ ସଜ୍ଜିତ କରାଯାଇଥାଏ। ବଳଦକୁ ଦୁଇ ମାସ ପୂର୍ବରୁ ସଜାଇ ଅଭ୍ୟାସ କରାଯାଇଥାଏ। ଯେପରି ଯାତ୍ରା ସମୟରେ କୌଣସି ଅଘଟଣ ନଘଟେ । ଏହି ବଳଦଯାତ୍ରାରେ କିଛି ଶଣ୍ଢ ମଧ୍ୟ ସାମିଲ ହେବେ ।

ବିଜୟା ଦଶମୀ ଓ ଏକାଦଶୀ ୨ ଦିନ ଧରି ରାତ୍ର ସମୟରେ ଏହି ବଳଦ ଯାତ୍ରା ଅନୁଷ୍ଠିତ ହେବ। ଏକାଦଶୀ ଦିନ ରାବଣପୋଡ଼ି ସରିବା ପରେ ଭସାଣ ଯାତ୍ରା ଆରମ୍ଭ ହୋଇ ସକାଳ ୭ ପର୍ଯ୍ୟନ୍ତ ଚାଲିବ ବୋଲି ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଛି। ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପାନୀୟ ଜଳ, ପରିମଳ, ଆଲୋକୀକରଣ ଓ ସମସ୍ତ ପ୍ରକାର ସହଯୋଗ କରାଯିବ । ଡିଜେ ଭାଇବ୍ରେଟରକୁ ସମ୍ପୂର୍ଣ୍ଣ ବାରଣ କରାଯିବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି।