ନନ୍ଦିଘୋଷ ବ୍ୟୁରୋ : ନ୍ୟାୟିକ ସେବା ପରୀକ୍ଷା ଦେବାକୁ ଆଶାୟୀ ଆଇନ ସ୍ନାତକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ସୁପ୍ରିମକୋର୍ଟ। ବିଚାର ବିଭାଗୀୟ ପରୀକ୍ଷା ଦେବା ପାଇଁ ଆବଶ୍ୟକ ୩ ବର୍ଷର ବାଧ୍ୟତାମୂଳକ ଲିଗାଲ ପ୍ରାକ୍ଟିସ୍ ନିୟମକୁ କମାଇ ୧ ବର୍ଷ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏଥିସହ ଗତବର୍ଷ ମେ’ ମାସରେ ଦିଆଯାଇଥିବା ରାୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଏ.ଜି. ମସିହ ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ୨:୧ ରାୟରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଖଣ୍ଡପୀଠଙ୍କ ରାୟ ଅନୁସାରେ, ୨୦୨୫ ମେ’ ୨୫ରୁ ୨୦୨୭ ମେ’ ୩୧ ମଧ୍ୟରେ ଅଧିସୂଚିତ ହେଉଥିବା ନ୍ୟାୟିକ ସେବା ପରୀକ୍ଷାରେ ପୂର୍ବରୁ ଆଇନ ପ୍ରାକ୍ଟିସ୍ ଅଭିଜ୍ଞତା ନଥିଲେ ମଧ୍ୟ ପ୍ରାର୍ଥୀମାନେ ଯୋଗ୍ୟ ରହିବେ। ତେବେ ପରୀକ୍ଷା ମାଧ୍ୟମରେ ଚୟନ ହେଉଥିବା ପ୍ରାର୍ଥୀମାନେ ରାଜ୍ୟ ଜୁଡିସିଆଲ୍ ଏକାଡେମୀରେ ୧ ବର୍ଷ ପ୍ରଶିକ୍ଷଣ ନେବେ। ଏହାପରେ ଜିଲ୍ଲା ଜଜଙ୍କ ଅଧୀନରେ ୬ ମାସ କ୍ଲର୍କସିପ୍ କରିବେ। ପରବର୍ତ୍ତୀ ୬ ମାସ ହାଇକୋର୍ଟରେ କାର୍ଯ୍ୟରତ ବିଚାରପତିଙ୍କ ଅଧୀନରେ କାମ କରିବେ।
ଗତବର୍ଷ ମେ’ ୨୦ରେ ସୁପ୍ରିମକୋର୍ଟ ନ୍ୟାୟିକ ସେବା ପରୀକ୍ଷା ପାଇଁ ଆଇନ ସ୍ନାତକଙ୍କ ନିମନ୍ତେ ୩ ବର୍ଷର ବାଧ୍ୟତାମୂଳକ ଲିଗାଲ ପ୍ରାକ୍ଟିସ୍ ନିୟମ ଲାଗୁ କରିଥିଲେ। ଏହି ନିୟମ ବିରୋଧରେ ବିଭିନ୍ନ ପକ୍ଷଙ୍କ ପକ୍ଷରୁ ପିଟିସନ୍ ଦାଖଲ ହୋଇଥିଲା। ଆବେଦନକାରୀମାନେ ୩ ବର୍ଷର ଲିଗାଲ ପ୍ରାକ୍ଟିସ୍ ବଦଳରେ ବିକଳ୍ପ ବ୍ୟବସ୍ଥାର ପ୍ରସ୍ତାବ ଦେଇଥିଲେ। ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ଏଲ୍ଏଲ୍ବି ସମାପ୍ତ କରିବା ବେଳକୁ ଅନେକ ଛାତ୍ରଛାତ୍ରୀଙ୍କ ବୟସ ୨୩ରୁ ୨୪ ବର୍ଷ ହୋଇଥାଏ। ଏହାପରେ ଆଉ ୩ ବର୍ଷ ଲିଗାଲ ପ୍ରାକ୍ଟିସ୍ କରିବାକୁ ପଡ଼ିଲେ ନ୍ୟାୟିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଓ କ୍ୟାରିୟର ଯୋଜନା ପ୍ରଭାବିତ ହେବ। ଏହାସହ ଦୀର୍ଘ ସମୟର ପ୍ରାକ୍ଟିସ୍ ଆବଶ୍ୟକତା ଯୋଗୁଁ ଆର୍ଥିକ ଭାବେ ମଧ୍ୟ ଅନେକ ଆଶାୟୀ ପ୍ରଭାବିତ ହେଉଥିବା ଯୁକ୍ତି ରଖାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ହଜାର ହଜାର ନ୍ୟାୟିକ ସେବା ପରୀକ୍ଷା ଆଶାୟୀ ଉପକୃତ ହେବେ।

