ରେଳବାଇ ନିଯୁକ୍ତି ପ୍ରସଙ୍ଗରେ ଆଜି ବିହାର ବନ୍ଦ, ୟୁପିରେ ହାଇ ଆଲର୍ଟ

1 min read

ପାଟନା: ରେଳବାଇ ନିଯୁକ୍ତି ପ୍ରସଙ୍ଗରେ ଆଜି ବିହାର ବନ୍ଦ ।  ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ବିହାର ବନ୍ଦର ପ୍ରଭାବ ରାଜ୍ୟରେ ପଡିବା ଆଶଙ୍କା କରାଯାଉଛି ।  ରେଳବାଇ ନିଯୁକ୍ତି ବୋର୍ଡର ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟିକୁ ବିରୋଧ କରି ଏହି ବନ୍ଦ ଆହ୍ୱାନ ଦିଆଯାଇଛି । ୟୁଟ୍ୟୁବର ଖାଁ ସାର୍, ବିଭିନ୍ନ ଘରୋଇ କୋଚିଂ ସେଣ୍ଟରର ୬ ଅଧ୍ୟାପକଙ୍କ ସମେତ ୨୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେପଟେ ବିହାର ବନ୍ଦକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ୟୁପି ପୋଲିସ ଡିଜି ମୁକୁଲ ଗୋଏଲ ରାଜ୍ୟର ସମସ୍ତ ଏସି, ଆଇଜିପି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ବାରାଣସୀ, ପ୍ରୟାଗରାଜ ଓ ଗୋରଖପୁରରେ ହିଂସା ଆଶଙ୍କା ଥିବାରୁ, ସେଠାରେ ପୋଲିସକୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ପୋଲିସ ସମସ୍ତ ସଂଗଠନକୁ ଚେତାବନୀ ଦେଇଛି । ବିଭିନ୍ନ ଜିଲ୍ଲାରେ ଆଇନ କାର୍ଯ୍ୟକାରୀ ଗୁଇନ୍ଦା ୟୁନିଟ୍ ବା ଏଲଇଆଇୟୁ ଗୁଡିକୁ ସତର୍କ ରଖାଯାଇଛି । ଏହି ବନ୍ଦ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ ବା ଆଇସା ପକ୍ଷରୁ କରାଯାଉଥିବାବେଳେ, ଏହାକୁ ସମର୍ଥନ କରୁଛନ୍ତି ବିଭିନ୍ନ ସଂଗଠନ ।

ଗତ ବୁଧବାର ଉତ୍ତ୍ୟକ୍ତ ଛାତ୍ରମାନେ ରେଳବାଇର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାକୁ ବିରୋଧ କରି ବିହାର ଗୟାରେ ଏକ ଟ୍ରେନ ପୋଡି ଦେଇଥିଲେ ।  ଛାତ୍ରମାନେ ଅଭିଯୋଗ କରିଥିଲେ ଯେ, ନନଟେକ୍ନିକାଲ ପପୁଲାର କାଟେଗୋରିସ ବା ଏନଟିପିସି ପଦବୀ ପାଇଁ ପ୍ରଥମେ ଗୋଟିଏ ପରୀକ୍ଷା ଲାଗି ଦର୍ଶାଯାଇଥିବା ବେଳେ, ପରେ ଦୁଇଟି ପରୀକ୍ଷା କରିବା ଲାଗି ଦର୍ଶାଯାଇଥିଲା । ପ୍ରଥମେ ଜାନୁଆରୀ ୧୪ରେ ପରୀକ୍ଷା ଫଳ ବାହାରିଥିବାବେଳେ ଆଉ ଏକ ପରୀକ୍ଷା ଦେବା ଲାଗି ରେଳବାଇ ପ୍ରକାଶ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା । ସେପେଟ ବିହାରର ୟୁଟ୍ୟୁବର ଖାଁ ସାରଙ୍କ ବିରୋଧରେ ଦାୟର ମାମଲା ପ୍ରତ୍ୟାହାର ଲାଗି ଦାବି କରିଛନ୍ତି ଜେଡିୟୁରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂ ।

 

Leave a Reply