ବିହାର ଆଇପିଏସ ଅଫିସରଙ୍କୁ ମୁମ୍ବାଇରେ କ୍ୱାରେଣ୍ଟାଇନ୍ କରାଯିବାକୁ ନାପସନ୍ଦ କଲେ ନୀତିଶ

ମୁମ୍ବାଇ: ପାଟନା ଏସପି ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍ କରାଯିବା ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଯାହା ହେଲା ତାହା ଠିକ୍ ହୋଇନାହିଁ । ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ,ବିହାର ପୋଲିସ ନିଜ କର୍ତ୍ତବ୍ୟ ପାଳନ କରୁଛି । ଆମ ଡିଜିପି ସେଠାକାର ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । ଅନ୍ୟପକ୍ଷରେ ବିଏମସି ଏହି ପ୍ରସଙ୍ଗ ଉପରେ ନିଜ ପକ୍ଷ ରଖିଛି । ବିଏମସି ପକ୍ଷରୁ କୁହାଯାଇଛି ଯେ, ଏସପି ବିନୟ ତିୱାରୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଘରୋଇ ଆଗମନର ବର୍ତ୍ତମାନ ଗାଇଡଲାଇନ୍ ଅନୁସାରେ କ୍ୱାରେଣ୍ଟାଇନ୍ କରାଯାଇଛି ।

ଏହା ପୂର୍ବରୁ ରବିବାର ରାତିରେ ସୁଶାନ୍ତ ସିଂହ ରାଜପୁତ ମାମଲାର ଯାଂତ ପାଇଁ ପାଟନା ସିଟି ଏସପି ବିନୟ ତିୱାରୀ ମୁମ୍ବାଇରେ ପହଂଚିଥିଲେ । ସେଠାରେ ତାଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ କରିଦିଆଯାଇଥିଲା । ମୁମ୍ବାଇ ଏୟାରପୋର୍ଟରୁ ବାହାରିବା ପରେ ସିଟି ଏସପି ଏହି ମାମଲାର ତଦନ୍ତ କରୁଥିବା ୪ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ୬ ଦିନ ମଧ୍ୟରେ ଟିମ୍ ଦ୍ୱାରା କରାଯାଇଥିବା ତଦନ୍ତ ଓ ଜମା କରାଯାଇଥିବା ପ୍ରମାଣ ବାବଦରେ ତଥ୍ୟ ନେଇଥିଲେ । ବିନୟ ତିୱାରୀ ନିଜ ଟିମ୍ ସହ ଜଣେ ସନ୍ଦିଗ୍ଧଙ୍କୁ ଜେରା କରୁଥିବା ବେଳେ ରବିବାର ରାତି ୧୧ଟା ବେଳେ ବିଏମସିର ଅଧିକାରୀ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ କରିଥିଲେ ।

ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରବିବାର ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଥିଲେ । ସେ ଲେଖିଥିଲେ ଯେ, ତଦନ୍ତ ପାଇଁ ଯାଇଥିବା ପାଟନା ସିଟି ଏସପିଙ୍କୁ ବିଏମସି ବଳପୂର୍ବକ କ୍ୱାରେଣ୍ଟାଇନ୍ କରିଛନ୍ତି । ଅନୁରୋଧ ସତ୍ୱେ ତାଙ୍କୁ ଆଇପିଏସ ମେସରେ ଆବାସ ପ୍ରଦାନ କରାଯାଇନଥିଲା । ଏହାପରେ ସେ ଗୋରେଗାଓଁର ଏକ ଗେଷ୍ଟ ହାଉସରେ ରହିଥିଲେ ।

ଉଲ୍ଲେଖନୀୟ ଯେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ପାଟନା ପୋଲିସକୁ ମୁମ୍ବାଇରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ମୁମ୍ବାଇ ପୋଲିସ ବିହାର ପୋଲିସକୁ ଗାଡି ମଧ୍ୟ ଯୋଗାଇ ଦେଉନଥିବା ଅଭିଯୋଗ ହେଉଛି ।

Leave a Reply