ଅକ୍ଟୋବର ୬ ପରେ ବିହାର ନିର୍ବାଚନ; ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅକ୍ଟୋବର ୬ ପରେ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ  । ରାଜ୍ୟରେ ସମସ୍ତ ବଦଳି ଓ ନିଯୁକ୍ତି ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ  । ରାଜ୍ୟରେ ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନ ପରିଚାଳନା କରିବା ଲାଗି ପରାମର୍ଶ ଦେଇଛନ୍ତି ଇସିଆଇ  । ବଦଳି ଓ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିହାର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଛି  । ଅକ୍ଟୋବର ୬ ପରେ ଯେକୌଣସି ମୁହୂର୍ତ୍ତରେ ବିହାର ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ  ।

ସେପଟେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ସବୁଠାରୁ ପଛୁଆ ପଛୁଆ ବର୍ଗ ନ୍ୟାୟ ଇସ୍ତାହାର ପ୍ରକାଶ କରିଛନ୍ତି  । ରାଜ୍ୟର ପଛୁଆ ବର୍ଗଙ୍କୁ ସଶକ୍ତ କରିବା ଏବଂ ଶିକ୍ଷା, ପ୍ରଶାସନ ଓ ବିକାଶରେ ସେମାନଙ୍କ ଭାଗିଦାରିତାକୁ ଅଧିକ କରିବା କଂଗ୍ରେସର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି  । ପୂର୍ବରୁ ବିହାର ଲାଗି ଇଣ୍ଡିମେଣ୍ଟ ପକ୍ଷରୁ ସର୍ବାଧିକ ପଛୁଆ ବର୍ଗ ସଂକ୍ରାନ୍ତ ୧୦ ସୂତ୍ରୀ ପ୍ରସ୍ତାବ ଉନ୍ମୋଚିତ ହୋଇଛି  । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏର ସଦସ୍ୟ ସଂଖ୍ଯା ରହିଛି ୧୩୮  । ଏଥିରେ ବିଜେପିର ୮୪, ଜେଡିୟୁର ୪୮, ହାମ(ଏସ)ର ୪ ଓ ସ୍ବାଧୀନ ୨ ଜଣ ସଦସ୍ୟ ରହିଛନ୍ତି  । ମହାଗଠବନ୍ଧନର ସଦସ୍ୟ ସଂଖ୍ୟା ରହିଛି ୧୦୪  । ଏଥିରେ ରାଷ୍ଟ୍ରୀୟ ଜନତା ଦଳର ୭୨, କଂଗ୍ରେସର ୧୭, ସିପିଆଇଏମଏଲ(ଲିବରେସନ)ର ୧୧, ସିପିଆଇର ୨, ସିପିଏମର ୨ ସଦସ୍ୟ ରହିଛନ୍ତି  ।