ସରଗରମ ବିହାର ରାଜନୀତି; ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ଦେଖିବାକୁ ମିଳିପାରେ କଡ଼ା ଟକ୍କର

ନନ୍ଦିଘୋଷ ବ୍ୟୁରୋ : ସରଗରମ ବିହାର ରାଜନୀତି । ରାଜନେତାଙ୍କ ମଧ୍ୟରେ ଘଡିକେ ଘୋଡା ଛୁଟୁଛି । ଏନଡିଏ ଓ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ଦେଖିବାକୁ ମିଳିପାରେ କଡ଼ା ଟକ୍କର । ଏବେ ସୁଦ୍ଧା ଇଣ୍ଡିମେଣ୍ଟରେ ଆସନ ଭାଗବଣ୍ଟା ଛିଣ୍ଡିପାରୁନଥିବା ବେଳେ ଆରଜେଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ତାଙ୍କର ନିର୍ବାଚନ କ୍ଷେତ୍ର ଘୋଷଣା କରିଛନ୍ତି। ତେଜସ୍ୱୀ ଯାଦବ ଅକ୍ଟୋବର ୧୫ ତାରିଖରେ ରାଘୋପୁର ନିର୍ବାଚନମଣ୍ଡଳୀରୁ ତାଙ୍କର ନାମାଙ୍କନ ଦାଖଲ କରିବେ ।
ସେପଟେ ଏନଡିଏ ଓ ବରୋଧୀ ଇଣ୍ଡି ମେଣ୍ଟ ପାଇଁ କଣ୍ଟା ସାଜିପାରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି। ଆଗାମୀ ବିହାର ନିର୍ବାଚନ ପାଇଁ ୬୫ଟି ଆସନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଜେଏସପି। ହେଲେ କିଶୋରଙ୍କ ନାମ ଏହି ତାଲିକାରେ ନାହିଁ। ଗତ ସପ୍ତାହରେ, ଜେଏସପି ରାଜ୍ୟର ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ୫୧ ଜଣଙ୍କ ନାମ ସହିତ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା। ତେବେ ଜେଏସପି ନିଶ୍ଚିତ ରୂପେ ଦୁଇ ମେଣ୍ଟକୁ ଟକ୍କର ଦେଇପାରେ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ। ସେପଟେ ଆରଜେଡି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବଙ୍କୁ ଶକ୍ତ ଧକ୍କା ଦେଇପାରନ୍ତି ବଡ଼ ଭାଇ ତେଜ ପ୍ରତାପ। ତେଜପ୍ରତାପ ଜନଶକ୍ତି ଜନତା ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୨୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ସେ ମହୁଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଛନ୍ତି।