ନନ୍ଦିଘୋଷ ବ୍ୟୁରୋ: ବିହାରରେ ଅପରିବର୍ତ୍ତିତ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ। ପୂର୍ବରୁ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ଦଳ ନିଷ୍ପତ୍ତି ନେଇଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ସେହିପରି ବିଜୟ ସିହ୍ନାଙ୍କୁ ବିଧାୟକ ଦଳ ଉପନେତା ଭାବେ ନିର୍ବାଚିତ କରାଯାଇଛି। ଅନ୍ୟପଟେ ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନୀତିଶ କୁମାର । ଏଣୁ କୁହାଯାଉଛି କି, ଦଶମଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତିଶ କୁମାର । ଏନଡିଏ ବିଧାୟକ ଦଳ ବୈଠକ ପୂର୍ବରୁ ନୀତିଶ କୁମାର ଇସ୍ତଫା ଦେବେ । ତେବେ ଜେଡିୟୁର ବିଧାୟକ ଦଳ ବୈଠକରେ ବିଜୟ କୁମାର ଚୌଧୁରୀ ଦଳୀୟ ନେତୃତ୍ବ ପାଇଁ ନୀତିଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ । ବିଜେନ୍ଦ୍ର ଯାଦବ ଏହାକୁ ସମର୍ଥନ ଜଣାଇଥିଲେ । ପରେ ସର୍ବସମ୍ମତିକ୍ରମେ ନୀତିଶ କୁମାର ଜେଡିୟୁ ବିଧାୟକ ଦଳ ନେତା ହୋଇଥିଲେ ।
ବୁଧବାର ପାଟନାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେ.ପି ମୌର୍ଯ୍ୟ ବିଜେପି ବିଧାୟକ ଦଳର ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହାପରେ ସମ୍ରାଟ ଚୌଧୁରୀ ବିଧାୟକ ଦଳ ନେତା ଏବଂ ବିଜୟ ସିହ୍ନା ଉପନେତାଭାବେ ନିର୍ବାଚିତ ହୋଇଥିଲେ ।

