ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ, ଏନଡିଏ ଲାଗି ଚିନ୍ତା ବଢ଼ାଇଲେଣି ଚିରାଗ ପାଶ୍ବାନ
1 min read
ନନ୍ଦିଘୋଷ ବ୍ୟୁରୋ : ବିହାର ନିର୍ବାଚନ ଯେତିକି ପାଖଉଛି ଚିରାଗ ପାଶ୍ବାନ ଫାକ୍ଟର ଏନଡିଏ ମେଣ୍ଟ ଲାଗି ସେତିକି ସମସ୍ୟା ସୃଷ୍ଟି କରୁଛି । ବିହାରରେ ହତ୍ୟାକାଣ୍ଡ, ଲୁଟ, ଡକାୟତି, ଅପହରଣ, ଦୁଷ୍କର୍ମ ଆଦି ଘଟଣା ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ପୋଲିସ ଓ ପ୍ରଶାସନ ଅପରାଧୀଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା କହିଚାଲିଛନ୍ତି ଏଲଜେପି ରାମବିଳାସ ଦଳର ନେତା ଚିରାଗ । ଏହା ସହ ଏହି ସବୁ ଘଟଣାର ବୋଝ ସହଭାଗୀ ଦଳମାନେ ବି ବୋହି ଚାଲିଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ନୀତୀଶ କୁମାର ନେତୃତ୍ବାଧୀନ ଏନଡିଏ ସରକାର ଚାଲିଥିବାବେଳେ ଚିରାଗ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ତଥାପି ଏନଡିଏ ସରକାରକୁ ଖୋଲାଖୋଲି ସମାଲୋଚନା ବିହାର ରାଜନୀତିରେ ଚର୍ଚ୍ଚାର କାରଣ ପାଲିଟିଛି । ବିହାରର ୪୦ ଲୋକସଭା ଆସନ ମଧ୍ୟରୁ ଜେଡିୟୁ ୧୨, ବିଜେପି ୧୨, ଏଲଜେପି- ୫, ଆରଜେଡି ୪,କଂଗ୍ରେସ ୪, ସିପିଆଇଏମଏଲ ୨ ଆସନ ପାଇଛନ୍ତି । ଚିରାଗଙ୍କ କ୍ଷୋଭ ବିଶେଷ କରି ଜେଡିୟୁ ପ୍ରତି ଉଦ୍ଦିଷ୍ଟ ବୋଲି ଜଣାଯାଉଛି । ସେପଟେ ଚିରାଗଙ୍କ ମନ୍ତବ୍ୟକୁ ବିଜେପି ନା ସମର୍ଥନ କରୁଛି ନା ବିରୋଧ କରୁଛି । ଗତ ବିଧାନସଭା ନିର୍ବାଚନରେ ଏଲଜେପି ୧୩୫ ଆସନରେ ଲଢିଥିଲା ଯାହା ଫଳରେ ଜେଡିୟୁ ମାତ୍ର ୪୫ ଆସନ ଲାଭ କରିଥିଲା । ବିଜେପି ହାସଲ କରିଥିଲା ୮୦ ଆସନ ।
ଏହି କାରଣରୁ ଜେଡିୟୁ ଓ ଏଲଜେପି ମଧ୍ୟରେ ତିକ୍ତ ସମ୍ପର୍କ ରହିଛି । ସାରା ରାଜ୍ୟରେ ବ୍ୟାପକ ଅରାଜକତା ଜାରି ରହିଥିବାବେଳେ ଚିରାଗଙ୍କ ଆକ୍ରମଣ ନୀତୀଶ କୁମାରଙ୍କ ଲାଗି ସଙ୍କଟ ସୃଷ୍ଟି କରିଛି । ନୀତୀଶଙ୍କ ନିକଟରେ ଗୃହ ବିଭାଗ ଥିବାରୁ ଚିରାଗଙ୍କ ଟାର୍ଗେଟ ଅଧିକ ସମସ୍ୟା ସୃଷ୍ଟି କରୁଛି । ଚିରାଗଙ୍କ ସମାଲୋଚନା କାରଣରୁ ନୀତୀଶଙ୍କ ଗୁରୁତ୍ବ ବିଜେପି ନିକଟରେ ହ୍ରାସ ପାଇବାରେ ଲାଗିଛି । ଚିରାଗଙ୍କ ମନ୍ତବ୍ୟକୁ ଜେଡିୟୁ ଏବଂ ଜିତନ ରାମ ମାନଝୀଙ୍କ ହାମ(ଏସ) ବିରୋଧ କରୁଥିଲେ ବି ବିଜେପି ନୀରବ ରହିବା ନାନା ଆଭାସ ପ୍ରଦାନ କରୁଛି । ତେଣେ ଚିରାଗଙ୍କ ବିବୃତିକୁ ନେଇ ଏନଡିଏ ଉପରେ ଶାଣିତ ଟାର୍ଗେଟ କରୁଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ ।