ଖୁବଶୀଘ୍ର ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ; ୩ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ

1 min read

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ବିହାର ନିର୍ବାଚନ ତାରିଖ ଘୋଷଣା। ଆସନ୍ତା ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇପାରେ ବିହାର ବିଧାନସଭା ନିର୍ବାଚନ। ନଭେମ୍ବର ୫ ରୁ ୧୫ ପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ୨୨ ନଭେମ୍ବର, ୨୦୨୫ରେ ଶେଷ ହେବ। ନିର୍ବାଚନ କମିଶନଙ୍କୁ ସେହି ତାରିଖ ପୂର୍ବରୁ ନିର୍ବାଚନର ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ। ୨୮ ଅକ୍ଟୋବରରେ ପଡୁଥିବା ଛଟ ପୂଜା ପରେ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ୨୨ ନଭେମ୍ବର ୨୦୨୫ରେ ଶେଷ ହେବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆସନ୍ତା ସପ୍ତାହରେ ନିର୍ବାଚନ ହେବାକୁ ଥିବା ବିହାର ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ଏବଂ ସେପ୍ଟେମ୍ବର 30 ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକାର ସମୀକ୍ଷା କରିବେ।

ନିର୍ବାଚନ କମିଶନଙ୍କ ଦ୍ୱାରା ସଦ୍ୟ ସମାପ୍ତ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟ ଯେଉଁଥିରେ ଡ୍ରାଫ୍ଟ ଭୋଟର ତାଲିକାରୁ ୬୫ ଲକ୍ଷ ନାମ ବାଦ ଦିଆଯାଇଥିଲା। ତାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ ସେପ୍ଟେମ୍ବର ୩୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବା ପରେ ମଧ୍ୟ ଯଦି କୌଣସି ତ୍ରୁଟି ଜଣାପଡ଼େ ତେବେ ଏହା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବାତିଲ କରିଦେବ।୨୦୨୦ ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ୭୧ଟି ଆସନରେ ଅକ୍ଟୋବର ୨୮ରେ, ୯୪ଟି ଆସନରେ ୩ ନଭେମ୍ବରରେ ଏବଂ ୭୮ଟି ଆସନରେ ୭ ନଭେମ୍ବରରେ ଭୋଟଗ୍ରହଣ ହୋଇଥିଲା। ଫଳାଫଳ ୧୦ ନଭେମ୍ବରରେ ଘୋଷଣା କରାଯାଇଥିଲା। ୨୦୧୫ରେ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହୋଇଥିଲା।

ଚଳିତ ବର୍ଷ ପୁଣି ଥରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ଏବଂ ବିରୋଧୀଙ୍କ ଇଣ୍ଡି ବ୍ଳକ ମଧ୍ୟରେ ଲଢ଼ିବ। ବିଜେପି, ଜନତା ଦଳ ୟୁନାଇଟେଡ୍ ଏବଂ ଲୋକ ଜନଶକ୍ତି ପାର୍ଟି ରାମବିଳାସକୁ ନେଇ ଗଠିତ NDA। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଆଉ ଏକ କାର୍ଯ୍ୟକାଳ ପାଇଁ ଲକ୍ଷ୍ୟ ରଖିଛି। କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ସହିତ ରାଷ୍ଟ୍ରୀୟ ଜନତା ଦଳ (RJD) ନେତୃତ୍ୱରେ ବିରୋଧୀ ଶିବିର ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଆଶା କରୁଛି। ୨୪୩ ସଦସ୍ୟ ବିଶିଷ୍ଟ ଗୃହରେ NDA ବର୍ତ୍ତମାନ ୧୩୧ ସଦସ୍ୟଙ୍କ ସହିତ ବହୁମତ ହାସଲ କରିଥିଲା। ବିଜେପି ୮୦, ଜେଡିୟୁ ୪୫, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ୪, ଏବଂ ୨ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଇଣ୍ଡିଆ ବ୍ଲକ୍‌ରେ ୧୧୧ ବିଧାୟକ ଅଛନ୍ତି, ଯେଉଁଥିରେ RJD ୭୭, କଂଗ୍ରେସ ୧୯, CPIML ୧୧, CPIM ୨ ଏବଂ CPIର ୨ ଜଣ ଅଛନ୍ତି।