ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, କଟିଲା ୯ ବିଧାୟକଙ୍କ ଟିକେଟ୍

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଗରମ । ଏନଡିଏ ମେଣ୍ଟ ପକ୍ଷରୁ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ୭୧ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପ୍ରଥମ ସୂଚୀରେ ଦଳ ଅଧିକାଂଶ ବିଧାୟକ ଓ ମନ୍ତ୍ରୀଙ୍କ ଉପରେ ଭରଷା କରିଛି । ତେବେ କୁହ୍ମରାରରୁ ଅରୁଣ ସିହ୍ନା ଓ ପାଟନା ସାହିବରୁ ନନ୍ଦକିଶୋର ଯାଦବଙ୍କ ଟିକେଟ କଟିଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ୯ ବିଧାୟକଙ୍କୁ ଟିକେଟ୍ ଦେଇନି ।
ପ୍ରଥମ ତାଲିକାରେ ଦଳ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର, ମଙ୍ଗଳ ପାଣ୍ଡେଙ୍କୁ ସିବାନ, ସଞ୍ଜୀବ ଚୌରସିଆଙ୍କୁ ଦୀଘା ଓ ରଜନିଶ କୁମାରଙ୍କୁ ତୋଘଡାରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି । ଏହି ୭୧ ତାଲିକାରେ ୯ ଜଣ ମହିଳା ଓ ୫ ଜଣ ଅନୁସୂଚିତ ଜାତି ଓ ଜଣେ ଅନୁସୂଚିତ ଜନଜାତି ନେତାଙ୍କ ନାଁ ଘୋଷଣା କରାଯାଇଛି ।
କାହାର କଟିଲା ଟିକେଟ୍ ?
ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପରେ ୯ ଜଣ ବିଧାୟକଙ୍କୁ ଶକ୍ତ ଧକ୍କା ଲାଗିଛି । କାରଣ ଦଳ ତାଙ୍କ ଟିକେଟ କାଟିଛି । ଏହି ନେତା ମାନେ ହେଲେ ରିଗା ଆସନର ବିଧାୟକ ମୋତିଲାଲ ପ୍ରସାଦ, ରାଜନଗର ବିଧାୟକ ରାମପ୍ରିତ ପାସଓ୍ବାନ, ନରପତଗଞ୍ଜ ବିଧାୟକ ଜୟପ୍ରକାଶ ଯାଦବ, ଗୌରା ବୌରାମ ବିଧାୟକ ସର୍ବଥା ସିଂହ, ଓରାଇ ବିଧାୟକ ରାମସୁରତ ରାୟ, କଟୋରିୟା ବିଧାୟକ ନକ୍କି ହେମ୍ବ୍ରମ, କୁହ୍ମରାର ବିଧାୟକ ଅରୁଣ ସିହ୍ନା, ପାଟନା ସାହିବ ବିଧାୟକ ନନ୍ଦକିଶୋର ଯାଦବ ଏବଂ ଆରା ବିଧାୟକ ଅମରେନ୍ଦ୍ର ପ୍ରାତାପ ।
ବିଜେପିର ଜାତିଗତ ସମୀକରଣ
ପ୍ରଥମ ପର୍ଯ୍ୟାୟ ତାଲିକାରେ ବିଜେପି ଜାତିଗତ କାର୍ଡ ଖେଳିଥିବା ଦେଖିବାକୁ ମିଳିଛି । ସବୁ ବର୍ଗର ଲୋକଙ୍କୁ ଖୁସ କରିବା ଭଳି ଟିକେଟ୍ ବଣ୍ଟନ କରାଯାଇଛି । ଏଥିରେ ଦଳିତ, ପଛୁଆ, ଅତି ପଛୁଆ, ମହିଳାଙ୍କୁ ସାମିଲ କରାଯାଇଛି । ତାଲିକାରେ ୧୭ ଓବସସି, ୧୧ ଅତି ପଛୁଆ, ୮ ମହିଳାଙ୍କୁ ଟିକେଟ ମିଳିଛି । ଏସସି/ଏସଟି ସମାଜରୁ ୬ ଜଣଙ୍କ ନାଁ ଘୋଷଣା କରାଯାଇଛି । ଯାହାକୁ ହିସାବ କଲେ ଜଣା ପଡୁଛି ଦଳ ୫୦ ପ୍ରତିଶତରୁ ଅଧିକ ଟିକେଟ ଦଳିତ, ବଞ୍ଚିତ, ପଛୁଆ, ଅତି ପଛୁଆ ଓ ମହିଳା ସମାଜଙ୍କୁ ଦେଇଛି ।
୭ ଆସନରେ ପରାଜିତ ପ୍ରାର୍ଥୀ ବଦଳାଇଲା ଦଳ
୨୦୨୦ ନିର୍ବାଚନରେ ହାରିଥିବା ୭ ଜଣ ପ୍ରାର୍ଥୀଙ୍କୁ ପ୍ରଥମ ତାଲିକାରେ ସ୍ଥାନ ମିଳିନି । ଏଥିରେ ସୀତାମଢ଼ୀ, ସୀବାନ, ଦାନପୁର, ବିକ୍ରମ, ଅରବଲ, ଓରଙ୍ଗାବାଦ ଓ ଗୁରୁଆ ବିଧାନସଭା ଆସନ ସାମିଲ । ତେଘରା, ତାରାପୁର ଆସନରେ ଗତଥର ଜେଡିୟୁ ନିର୍ବାଚନ ଲଢ଼ିଥିଲା । ଚଳିତ ନିର୍ବାଚନରେ ଏହି ଆସନ ବିଜେପି ବାଣ୍ଟରେ ପଡ଼ିଛି ।