ବିହାର ବିଧାନସଭା ଇତିହାସରେ କଳା ଅଧ୍ୟାୟ, ମହିଳାଙ୍କ ଶାଢ଼ି ଟାଣିଲେ ସୁରକ୍ଷା କର୍ମୀ

1 min read
BIhar Assembly

ବ୍ୟୁରୋ: ବିହାର ବିଧାନସଭା ଇତିହାସରେ କଳା ଅଧ୍ୟାୟ । ବିଧାନସଭାକୁ ପ୍ରଥମଥର ଲାଗି ପୋଲିସ ଏଣ୍ଟ୍ରି ମାରିଛି । ବିହାର ବିଶେଷ ସଶସ୍ତ୍ର ପୋଲିସ ବିଧେୟକକୁ ବିରୋଧୀ ବିରୋଧ କରି ମଙ୍ଗଳବାର ଗୃହରେ ହୋହଲ୍ଲା କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ହାତାହାତି ଯାଏ କଥା ଯାଇଥିଲା । ଗଣତନ୍ତ୍ରର ମନ୍ଦିର ବିଧାନସଭାରେ ମାରପିଟ୍‌ ଓ ଅସଦାଚରଣ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।

ମଙ୍ଗଳବାର ବିହାର ବିଧାନସଭାରେ ବିରୋଧୀଙ୍କ ଅନୁପସ୍ଥିତିରେ ସରକାର ବିହାର ବିଶେଷ ପୋଲିସ ବିଧେୟକ-୨୦୨୧ ପାରିତ କରିଥିଲେ । ହେଲେ, ବିଲ୍ ପାରିତ ବେଳେ ଗୃହରେ ସୃଷ୍ଟି ହୋଇଥିଲା ଅସ୍ୱାଭାବିକ ସ୍ଥିତି । ବିଧାନସଭାରେ ମହିଳା ବିଧାୟକଙ୍କ ସହ ଟଣାଓଟରା ସବୁ ସୀମା ଟପି ଯାଇଥିଲା । ଏପରିକି ଜଣେ ମହିଳାଙ୍କ ବିଧାୟକଙ୍କ ଶାଢୀ ଟାଣିବାକୁ ଉଦ୍ୟମ କରିଥିଲେ ସୁରକ୍ଷା କର୍ମୀ ।

ବିଧେୟକକୁ ବିପକ୍ଷଙ୍କ ବିରୋଧ ପରେ ବାରମ୍ବାର ଗୃହ ମୁଲତବି ହୋଇଥିଲା । ଗୃହ ସ୍ଥଗିତ ପରେ ବାଚସ୍ପତି ତାଙ୍କ କକ୍ଷରେ ବସିଥିବା ବେଳେ ବିରୋଧୀ ସଦସ୍ୟ ଗୃହ ବାହାରେ ଧାରଣାରେ ବସି ପଡ଼ିଥିଲେ । ଅପରାହ୍ଣ ୪ଟା ୩୦ରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ ପାଇଁ ଯିବାକୁ ବାହାରିଥିବା ବେଳେ ବାଟ ଛାଡ଼ି ନଥିଲେ ବିରୋଧୀ । ଏହାପରେ ମାର୍ଶଲ ବିରୋଧୀ ବିଧାୟକଙ୍କୁ ହଟାଇବା ଲାଗି ଉଦ୍ୟମ କରିଥିଲେ ବି ସେମାନେ ହଟିନଥିଲେ ।
ଫଳରେ ବାଧ୍ୟ ହୋଇ ପୋଲିସ ବିଧାନସଭା ପରିସରକୁ ପଶି ବଳ ପ୍ରୟୋଗ କରିଥିଲା ।

ବିରୋଧୀ ବିଧାୟକଙ୍କୁ ସେଠାରୁ ଟେକି ଟେକି ଆଣିଥିଲା ପୋଲିସ । ତେବେ, ବିଧାୟକଙ୍କୁ ପୋଲିସ ଗୋଇଠା ମାରିଥିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଏହି ସମୟରେ ବିଧାନସଭା ପରିସରରେ ଆରଜେଡି କାର୍ଯ୍ୟକର୍ତ୍ତ ଢେଲା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଢେଲାମାଡ଼ରେ ସାମ୍ବାଦିକ, ପୋଲିସ ସହ ଅନ୍ୟ କେତେଜଣ ଆହତ ମଧ୍ୟ ହୋଇଛନ୍ତି ।

ବାରମ୍ବାର ଗୃହରେ ହଟ୍ଟଗୋଳ ମଧ୍ୟରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଆସନକୁ ମାଡ଼ି ଯାଇଥିଲେ । ମାର୍ଶଲ ଅଟକାଇ ଥିଲେ । ପରେ ଏମଏଲସି ଅଶୋକ ଚୌଧୁରୀ ବିପକ୍ଷ ସଦସ୍ୟ ପ୍ରେମ କୁମାରଙ୍କ ହାତରୁ କାଗଜ ଛଡ଼ାଇବା ଲାଗି ଚେଷ୍ଟା କରିବାରୁ ଆରମ୍ଭ ହୋଇଥିଲା ମୁଥ ମରାମରି । ଏହାପରେ ବିରୋଧୀ ବିଦାୟକ ବିଧାନସଭାରେ ଚେୟାର ଭାଙ୍ଗି ଦେଇଥିଲା । ଗଣତନ୍ତ୍ରର ମନ୍ଦିର ବିଧାନସଭା ପାଲଟି ଯାଇଥିଲା ରଣକ୍ଷେତ୍ର ।

Leave a Reply