ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ଲାଗି ଏନଡିଏର ସଂକଳ୍ପ ପତ୍ର। ରାଜ୍ୟରେ ବିପୁଳ ନିଯୁକ୍ତି, ମହିଳା ସଶକ୍ତିକରଣ ଓ କଲ୍ୟାଣକାରୀ ଯୋଜନା ଉପରେ କରାଯାଇଛି ଫୋକସ। ବିଜେପି ସଭାପତି ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ରମନ୍ତ୍ରୀ ତଥା ହାମ୍ ନେତା ଜିତନରାମ ମାନଝୀ, କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି(ରାମବିଳାସ) ନେତା ଚିରାଗ ପାଶୱାନ ଓ ଆରଏଲଏମ ନେତା ଉପେନ୍ଦ୍ର କୁସୱାହାଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି ଇସ୍ତାହାର। ଇସ୍ତାହାରରେ ଥିବା ପ୍ରମୁଖ ଘୋଷଣାଗୁଡିକ ହେଲା ।
ବିହାରରେ ୧ କୋଟିରୁ ଅଧିକ ଚାକିରି ସୃଷ୍ଟି, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିସର ବୃଦ୍ଧି, ପ୍ରତି ଜିଲ୍ଲାରେ ମେଗା ସ୍କିଲ ସେଣ୍ଟର ପ୍ରତିଷ୍ଠା, ରାଜ୍ୟସ୍ତରରେ ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ। ଏହା ସହ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ବ୍ୟବସାୟ ଲାଗି ୨ ଲକ୍ଷ ଟଙ୍କା ଯାଏ ଆର୍ଥିକ ସହାୟତା, ୧ କୋଟି ଲକ୍ଷପତି ଦିଦି ସୃଷ୍ଟି, ସଫଳ ମହିଳା ବ୍ୟବସାୟୀଙ୍କ ଲାଗି ସହାୟତା ସକାଶେ ମିସନ କରୋଡପତି, ଅତିପଛୁଆ ବର୍ଗର ସାମାଜିକ ଅର୍ଥନୈତିକ ବିକାଶ ଉପରେ ଫୋକସ ସହ ୧୦ ଲକ୍ଷ ଟଙ୍କା ଯାଏ ସହାୟତା ଘୋଷଣା କରାଯାଇଛି। ଚାଷୀଙ୍କ ଲାଗି କର୍ପୂରୀ ଠାକୁର କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହେବ। ଏଥିରେ ଋତୁପିଛା ୩ ହଜାର ଟଙ୍କା ଅର୍ଥାତ ମୋଟ ୯ ହଜାର ଟଙ୍କା ଚାଷୀ ପାଇବେ।
ସେହିପରି ପ୍ରତି ପଞ୍ଚାୟତରେ ଧାନ, ଗହମ, ଡାଲିଜାତୀୟ ଶଶ୍ୟ ଓ ମକା ଲାଗି ଅମଳ କେନ୍ଦ୍ର ପ୍ରତିଷ୍ଠା ହେବ। କୃଷି ଭିତ୍ତିଭୂମି ଲାଗି ୧ ଲକ୍ଷ କୋଟି ନିବେଶ କରାଯିବ। ଦୁଗ୍ଧଚାଷୀଙ୍କ ଲାଗି ବିହାର ଦୁଗ୍ଧ ମିଶନ ପ୍ରତିଷ୍ଠା ହେବ। ଏକ୍ସପ୍ରେସ ରାଜପଥ, ରେଳ ନେଟୱର୍କ ବଢ଼ିବା ସହ ମେଟ୍ରୋ ସମ୍ପ୍ରସାରଣ କରାଯିବ। ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ କେଜିରୁ ପିଜି ଯାଏ ମାଗଣା ଶିକ୍ଷା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହେବ। ପଞ୍ଚାମୃତ ଗ୍ୟାରେଣ୍ଟୀ ଯୋଜନାରେ ଗରିବଙ୍କ ଲାଗି ମାଗଣା ରାସନ, ୧୨୫ ୟୁନିଟ ବିଜୁଳି ମାଗଣା ଦିଆଯିବ। ୫୦ ଲକ୍ଷ ପକ୍କାଘର ବି ନିର୍ମାଣ ହେବ।


