spot_img

Latest Posts

ବିଜୁ ବାବୁଙ୍କୁ ଅପମାନ: ଚପାଇ ଦେବାକୁ ପୋଲିସର ଚେଷ୍ଟା

ପାଟଣାଗଡ଼: ପାଟଣାଗଡ଼ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛି ପୋଲିସ। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ମଧ୍ୟ ତାକୁ ମାନସିକ ବିକାରଗ୍ରସ୍ତ କହୁଛି। କିନ୍ତୁ ତାକୁ କିଏ ଉସୁକାଇଥିଲା, ପୁରା ଷଡ଼ଯନ୍ତ୍ର ପଛରେ କିଏ ଅଛି, ତାକୁ ଖୋଜୁନି ପୋଲିସ। ପୁରା ଘଟଣାର ଖଳନାୟକ କିଏ, କାହିଁକି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବାକୁ ସେ ଷଡ଼ଯନ୍ତ୍ର କରିଥିଲା, କିଏ କିଏ ଏହି ଷଡ଼ଯନ୍ତ୍ରରେ ସାମିଲ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁନି। ଯିଏ ଧରାପଡ଼ିଛି, ତାକୁ ମାନସିକ ବିକାରଗ୍ରସ୍ତ କହି ଘଟଣାକୁ ଚପାଇ ଦେବାକୁ ନାଟକ କରୁଛି ପୋଲିସ।

ବିଜେଡି କହିଛି, ବିଜୁ ବାବୁଙ୍କ ଅପମାନକୁ ବରଦାସ୍ତ କରାଯିବନି। ଯିଏ ବି ଏହା ପଛରେ ଅଛି ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏହି ଘଟଣାରେ ସାରା ରାଜ୍ୟରେ ତେଜୁଛି ଅସନ୍ତୋଷ । ପୁରୀରୁ ବାଲେଶ୍ବର, ଗଞ୍ଜାମରୁ ଗଜପତି, ମୟୂରଭଞ୍ଜରୁ ଜଗତସିଂହପୁର ସବୁଠି ବିରୋଧ ପ୍ରଦର୍ଶନ କରିଥିଲା ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେବଳ ଓଡିଶାର ଜନନେତା ନୁହନ୍ତି ଅନ୍ତର୍ଜାତୀୟ ସ୍ତରରେ ସେ ଜଣେ ଅତ୍ୟନ୍ତ ସମ୍ମାନସ୍ପଦ ରାଜ ନେତା । ପରିତାପର ବିଷୟ ଓଡିଶାରେ ବିଜେପି ଶାସନକୁ ଆସିବା ଦିନ ଠାରୁ ଏହି ମହାନାୟକଙ୍କ ପ୍ରତି ଅପମାନ ଜନକ କାର୍ଯ୍ୟ ହୋଇଚାଲିଛି । ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା । ଯେଉଁମାନେ ଏହି ହୀନ କାର୍ଯ୍ୟ କରୁଛନ୍ତି ସେମାନେ ପରୋକ୍ଷରେ ଓଡିଶାକୁ ବଦନାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ଏପରି ଘଟଣାରେ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ସହିତ ଯେପରି ଆଗକୁ ଏହା ନଘଟିବ ସେ ନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

Latest Posts

Don't Miss