ଆଜି ବିଜୁ ଛାତ୍ର ଜନତା ଦଳର ନିର୍ବାଚନ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ନେଇ ତତ୍ପର ସବୁ ରାଜନୈତିକ ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପର୍ଯ୍ୟାୟ କ୍ରମେ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି । ଏପଟେ ଆଜି ଶଙ୍ଖ ଭବନରେ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ ବସିବାକୁ ଯାଉଛି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବୈଠକରେ ଆସନ୍ତା ନିର୍ବାଚନରେ ଛାତ୍ର ବିଜେଡିର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ରୋଡମ୍ୟାପ ପ୍ରସ୍ତୁତ କରାଯି ।

ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ତୃଣମୂଳ ସ୍ତରରୁ ବିଜେଡିକୁ ସୁଦୃଢ଼ କରିବା ସହ ଦଳ କିପରି ବିପୁଳ ମାତ୍ରାରେ ବିଜୟ ଲାଭ କରିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରାଯିବ । ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡିଆରେ କିପରି ଅଧିକ କ୍ରିୟାଶୀଳ ହେବେ ସେ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ କର୍ମକର୍ତ୍ତା ସମେତ ସମସ୍ତ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିବେ ।