ଆଦିବାସୀ ମୂଲକରେ ଗର୍ଭବତୀଙ୍କ ସାହାରା ସାଜିଛି ବାଇକ୍ ଆମ୍ବୁଲାନ୍ସ

1 min read

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଅନେକ ଗାଁ ରହିଛି ଯେଉଁଠିକୁ ଆମ୍ବିୁଲାନ୍ସ ପହଞ୍ଚିବା କଷ୍ଟକର । ସେଠାରେ ପହଞ୍ଚି ଯାଉଛି ବାଇକ ଆମ୍ବୁନାଲ୍ସ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୭ରୁ ଆରମ୍ଭ ହୋଇଥିଲା ବାଇକ ଆମ୍ବୁଲାନ୍ସ ସେବା । ବର୍ତ୍ତମାନ ସୁଦ୍ଧା ଶତାଧିକ ମହିଳାଙ୍କୁ କରିଛି ସାହାଯ୍ଯ ।

ବଣ ପାହାଡ଼ ଘେରା ଥୁଆମୂଳ ରାମପୁରରେ ଦେବଦୂତ ସାଜିଛି ଏହି ବାଇକ ଆମ୍ବୁଲାନ୍ସ ।  ମାତୃ ମୃତ୍ୟୁହାର ରୋକିବା ଓ ଗର୍ଭବତୀଙ୍କୁ ପ୍ରସୂତୀ କାଳୀନ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ବାଇକ ଆମ୍ବୁଲାନ୍ସ । ପ୍ରସବ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହାୟତାରେ ସାଇସୁରନିଠାରେ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ ସେବା ଓ ମା’ ଗୃହ ।

ଗୁଣପୁର, ବାଲିସରା, କାଣିଗୁମା, କର୍ଲlପାଟ, କିଆ ପଦର, ନାକରୁଣ୍ଡି ଓ କେରପାଇ ଆଦି ୭ଟି ସବ ସେଣ୍ଟରର ୧୨୦ଟି ଗାଁର ଗର୍ଭବତୀଙ୍କୁ ବାଇକ ଆମ୍ବୁଲାନ୍ସ ଯୋଗେ ମା’ ଗୃହକୁ ଅଣାଯାଉଛି । ସେହି ମା’ ଗୃହରେ ସେମାନଙ୍କୁ କିଛିଦିନ ରଖି ସେବା ଯତ୍ନ ନିଆଯିବା ସହ ଖାଦ୍ୟ ପେୟ ବ୍ୟବସ୍ଥା କରାଯାଉଛି l ତା’ପରେ ପ୍ରସବ ଗୃହକୁ ପଠା ଯାଉଛି । ଆବଶ୍ୟକ ସ୍ଥଳେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଛି । ବାଇକ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ଦାୟିତ୍ୱ କାରଡ଼ା ସଂସ୍ଥାର । ଏ ଯାଏଁ ପ୍ରାୟ ୧୭୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିବା ଜଣାପଡିଛି l ୬ ଶଯ୍ୟା ବିଶିଷ୍ଟ ସାଇସୁରନି ମା’ ଗୃହ ବର୍ଷକୁ ପ୍ରାୟ ୨୫୦ରୁ ୩୦୦ ଗର୍ଭବତୀ ମହିଳାଙ୍କୁ ପ୍ରସୂତୀ କାଳୀନ ସେବା ଯୋଗାଇ ଆସୁଛି ।