ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ବିକ୍ରମ ପଣ୍ଡାଙ୍କର କୌଣସି ସମ୍ପୃକ୍ତି ନାହିଁ, ନୂଆପଡ଼ା ଉପନିର୍ବାଚନ ପାଇଁ ଚକ୍ରାନ୍ତ କରିଛି ବିଜେପି: ବିଜେଡି

ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି । ତେବେ ବିକ୍ରମଙ୍କୁ ଗିରଫ କରାଯିବା ଘଟଣାକୁ ଜୋରଦାର ବିରୋଧ କରିଛି ବିଜେଡି । ବିଜେଡି ପକ୍ଷରୁ ଏନେଇ ଏସପିଙ୍କ ଅଫିସ ଆଗରେ ପ୍ରତିବାଦ କରାଯାଇଥିଲା । ଏଥିସହିତ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ପ୍ରେସମିଟ କରି ବିଜେପି ସରକାରଙ୍କ ଏହି ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା ।
ବିକ୍ରମକୁ ଜାଣିଶୁଣି ଫସାଇ ଦିଆଯାଇଛି । ବିକ୍ରମ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି ବିଜେଡି ନେତା ଚନ୍ଦ୍ରଶେଖର ସାହୁ । ବିଜେଡି ଏହା ବିରୋଧରେ ଆଇନଗତ ଲଢ଼େଇ କରିବ ବୋଲି କହିଛି । ବିକ୍ରମଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ । ଏହି ପ୍ରସଙ୍ଗକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି । ସାରା ରାଜ୍ୟରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅପରାଧକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଦସ୍ୟ । ମନ୍ତ୍ରୀଙ୍କ ସୁରକ୍ଷା ଦେବାକୁ ଯାଇ ବିକ୍ରମଙ୍କୁ ବଳି ପକାଯାଇଛି । ବିକ୍ରମଙ୍କୁ ବଳି ପକାଇ ବିଜେଡିକୁ ବଦନାମ କରିବାକୁ ଚକ୍ରାନ୍ତ ରଚାଯାଇଛି । ଶ୍ରୀ ଜେନା ଖଣି ମନ୍ତ୍ରୀ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣକୁ ନେଇ କ୍ରାଇମ୍ ବଢ଼ିବାରେ ଲାଗିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣ ଆରମ୍ଭ ହୋଇଛି । ଜଣେ ମନ୍ତ୍ରୀଙ୍କ ପଦରୁ ବିଦା କଲେ ବିଜେପି ସରକାରର ଅସଲ ମୁଖା ଖୋଲିଯିବ । ତେଣୁ ତଦନ୍ତକୁ ବାଟବଣା କରିବାକୁ ବିଜେପି ସରକାର ବାଧ୍ୟ କରିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ସେହିପରି ପୀତବାସ ପଣ୍ଡାଙ୍କୁ ମାରିବା ପାଇଁ ଯେତେବଡ଼ ପ୍ଲଟ ହୋଇନଥିଲା, ସତ୍ୟକୁ ଲୁଚାଇବା ପାଇଁ ତା’ଠାରୁ ବଡ଼ ପ୍ଲଟ ହୋଇଥିବା କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ପ୍ରକୃତ ଆସାମୀକୁ ବଞ୍ଚାଇବା ପାଇଁ ନୂଆ ଆସାମୀ ତିଆରି କରାଯାଇଛି । ବିକ୍ରମ ପଣ୍ଡାଙ୍କର ଏହି ଘଟଣା ସହ କ’ଣ ସମ୍ପୃକ୍ତି ରହିଛି ତାହା ଏସପି କହିପାରି ନଥିଲେ । ବିକ୍ରମଙ୍କ ଉପରେ ଯଦି କୌଣସି ସନ୍ଦେହ ଥିଲା ତେବେ ତାଙ୍କୁ ଡାକି ପୋଲିସ ପଚାରି ପାରିଥାନ୍ତା । ମାତ୍ର ରାତି ଅଧରେ ଜଣେ ପୂର୍ବତନ ବିଧାୟକଙ୍କୁ ବିନା ତଥ୍ୟରେ ଗିରଫ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଭୃଗୁ ।