ପରମାଣୁ ପରୀକ୍ଷା ନକରିବାକୁ କ୍ଲିଣ୍ଟନ ଦେଉଥିଲେ ୫ ବିଲିୟନ ଡଲାର: ନଓ୍ବାଜ

ଲାହୋର: ୪ ବର୍ଷର ଆତ୍ମନିର୍ବାସନ ପରେ ପାକିସ୍ତାନ ଫେରୁ ଫେରୁ ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି ପୂର୍ବତନ ପ୍ରଡ଼ାନମନ୍ତ୍ରୀ ନଓ୍ବାଜ ସରିଫ । ଏହି ଅବସରରେ ଭାରତ ବିରୋଧରେ ବିଷ ଉଗାରିବାକୁ ଭୁଲି ନାହାନ୍ତି ସରିଫ । ଲାହୋରରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେବା ଅବସରରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ତାଙ୍କୁ ପରମାଣୁ ବୋମା ପରୀକ୍ଷା ନକରିବାକୁ ୫ ବିଲିୟନ ଡଲାର ଯାଚିଥିବା କହିଛନ୍ତି । କ୍ଲିଣ୍ଟନଙ୍କ ଏହି ଅଫରକୁ ପ୍ରତ୍ୟାକ୍ଷାନ କରି ଭାରତର ପରମାଣୁ ଶକ୍ତିକୁ ପରମାଣୁ ପରୀକ୍ଷା କରି ଜବାବ ଦେିଥିଲି ବୋଲି କହିଛନ୍ତି ସରିଫ ।

ଘର ବାହୁଡ଼ା ପରେ ପାକିସ୍ତାନବାସୀଙ୍କୁ ନିଜ ସରକାର ସମୟର ଉପଲବ୍ଧି ସମ୍ପର୍କରେ ବତାଉଥିବା ବେଳେ ଏମିତି କହିଛନ୍ତି ସରିଫ । ସେ କହିଛନ୍ତି, ‘ଘଟଣା ୧୯୯୮ର । ବୈଦେଶିକ କାର୍ଯ୍ୟାଳୟର ପୁରୁଣା ରେକର୍ଡ ତଥ୍ୟରୁ ଦେଖି ପାରିବେ କ୍ଲିଣ୍ଟନ ମୋତେ ୫ ବିଲିୟନ ଆମେରିକୀୟ ଡଲାର ଦେଉଥିଲେ ପରମାଣୁ ପରୀକ୍ଷା ନକରିବାକୁ । ହେଲେ ମୁଁ ପାକିସ୍ତାନରେ ଜନ୍ମ ହୋଇଥିବା ପ୍ରକୃତ ପାକିସ୍ତାନୀ । ମୋତେ ପାକିସ୍ତାନ ବିରୋଧରେ କୌଣସି କଥା ସ୍ବୀକାର ନୁହେଁ ।’

ଭାରତ ବିରୋଧରେ ବିଷ ଉଗାରିଲେ

ନିଜ ଅଭିଭାଷଣରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ପାକିସ୍ତାନୀଙ୍କ ହୃଦୟ ଜିଣିବାର ଅବସର ଛାଡି ନଥିଲେ ସରିଫ । ସେ କହିଥିଲେ, ‘ଆମେ ପରମାଣୁ ପରୀକ୍ଷା କରି ଭାରତର ପରମାଣୁ ପରୀକ୍ଷଣର ଜବାବ ଦେଇଥିଲୁ । ପରମାଣୁ ପରୀକ୍ଷା ନକରିବାକୁ ହଜାର କୋଟି ଟଙ୍କା ମୋତେ ଅଫର କରାଯାଇଥିଲା । ହେଲେ ମୁଁ ଟଙ୍କା ନନେଇ ଭାରତକୁ ଜବାବ ଦେଇଥିଲି ।’