spot_img

Latest Posts

ଲାଇଫ ସପୋର୍ଟ ସିଷ୍ଟମରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ; ଅଧିକ ଚିକିତ୍ସା ପାଇଁ ଓ୍ୱେଲିଂଟନରୁ ଅଣାଯିବ ବାଙ୍ଗାଲୋର

ନୂଆଦିଲ୍ଲୀ: ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଆକ୍ରମଣରେ ପ୍ରାଣ ହରାଇଛନ୍ତି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ । ଏହି ଦୁର୍ଘଟଣାରେ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଥିଲେ । ଏହି ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁ ବରଣ କରିଥିବାବେଳେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହ ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ସୂଚନା ଅନୁସାରେ ବରୁଣଙ୍କ ଶରୀର ପ୍ରାୟତଃ ୪୫ ପ୍ରତିଶତ ଜଳିଯାଇଛି । ଯାହା ଫଳରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ତାଜା ସୂଚନା ଅନୁସାରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କୁ ଅଧିକ ଚିକିତ୍ସା ପାଇଁ ଓ୍ୱେଲିଂଟନର ସେନା ହସ୍ପିଟାଲରୁ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲକୁ ଆଣାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ସିଡିଏସ ବିପିନ ରାଓ୍ୱତ ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୩ ଜଣ ସହିଦ ହୋଇଥିବା ସମସ୍ତଙ୍କ ପାର୍ଥିବ ଶରୀରକୁ ଓ୍ୱେଲିଂଟନ ସେନା ହସ୍ପିଟାଲରୁ ମାଦ୍ରାସ ରେଜିମେଣ୍ଟକୁ ଆଣାଯାଇଛି ।

ଦେଶକୁ ସ୍ତବ୍ଧ କରିଦେଇଥିବା ଏହି ଘଟଣା ବିଷୟରେ ଗୁରୁବାର ରାଜ୍ୟସଭାରେ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ବହୁତ ଦୁଃଖର ସହ କହୁଛି କି ଗତ ୮ ଡିସେମ୍ବରରେ ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର କ୍ରାସ୍ ହୋଇଯାଇଥିଲା । ଯେଉଁ ବିମାନରେ ଥିଲେ ସିଡିଏସ ବିପିନ ରାଓ୍ୱତ । ଏୟାରଫୋର୍ସର MI-17 ହେଲିକପ୍ଟର ସୁଲୁର ଏୟାରବେସରୁ ୧୧.୪୮ ମିନିଟରେ ଉଡାଣ ଆରମ୍ଭ କରିଥିଲା । ଏହି ହେଲିକପ୍ଟର ୧୨.୧୫ ମିନିଟରେ ଓ୍ୱେଲିଂଟନରେ ଅବତରଣ କରିବାର ଥିଲା । କିନ୍ତୁ ୧୨.୦୮ ମିନିଟ ସମୟରେ ଏହି ହେଲିକପ୍ଟର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ସମ୍ପର୍କ ହରାଇଥିଲା ।

ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହୁରି କହିଥିଲେ କି ହେଲିକପ୍ଟର ଦୁର୍ଘଟଣା ହେବା ପରେ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିଥିଲେ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବାସିନ୍ଦା ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଏହା ପରେ ତୁରନ୍ତ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ସୁଦ୍ଧା ତାଜା ସୂଚନା ଅନୁସାରେ ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଏବେବି ଗୁରୁତର ଭାବରେ ଲାଇଫ ସପୋର୍ଟ ସିଷ୍ଟମରେ ରହିଛନ୍ତି ବୋଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Latest Posts

Don't Miss