ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ, ବିଜେଡି ଓ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ । ତିନି ଦିନ ପରେ ଏମ୍ସରେ ପ୍ରାଣ ହରାଇଲେ ପୀଡ଼ିତା । ତେବେ ନାଟକୀୟ ଢଙ୍ଗରେ ମୃତ୍ୟୁ ଘୋଷଣା ପରେ ଆରମ୍ଭ ହୋଇଥିଲା ପ୍ରତିବାଦ । ହସ୍ପିଟାଲ ପରିସରରେ ପହଞ୍ଚି ପ୍ରବଳ ହଙ୍ଗାମା କରିଥିଲେ ବିଜେଡି ଓ କଂଗ୍ରେସ ।

ଶେଷରେ ଆଖି ବୁଜି ଦେଲେ ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଆତ୍ମାହୁତି ଉଦ୍ୟମ କରି ଜଳି ଯାଇଥିବା ଛାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜଳି ଯାଇଥିଲା ଶରୀରର ପ୍ରାୟ ୯୫ ପ୍ରତିଶତ । ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରି ଚାଲିଥିଲେ ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ । ମାତ୍ର ବଞ୍ଚାଇ ପାରିଲେ ନାହିଁ । ସୋମବାର ରାତି ୧୧ଟା ୪୬ରେ ଆଖି ବୁଜି ଦେଲେ ସୌମ୍ୟାଶ୍ରୀ । ନ୍ୟାୟ ଭିକ୍ଷା କରି ହାରି ଯାଇଛନ୍ତି ସେଇ ହତଭାଗିନୀ ଝିଅ ।

ନିଜ ଦେହରେ ପେଟ୍ରୋଲ ଢାଳି ନିଆଁରେ ପୋଡ଼ି ହୋଇଥିବା ଛାତ୍ରୀଙ୍କୁ ୧୨ ତାରିଖରେ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଓ ପରେ ଏମ୍ସ ହସ୍ପିଟାଲ୍ ଅଣାଯାଇଥିଲା । ସେତେ ବେଳକୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ଆଇସିୟୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ ଡାକ୍ତର। ମାତ୍ର ଅବସ୍ଥାରେ ଆସି ନ ଥିଲା ସୁଧାର । ଶରୀରର ଉପର ଭାଗ ୯୫ ପ୍ରତିଶତ ପୋଡ଼ିଥିଲା ବେଳେ, ଭିତରେ ୭୦ ଭାଗ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । କିଡନୀ, ଲଙ୍ଗସ୍, ଶ୍ୱାସନଳୀ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଅବସ୍ଥା ଏଭଳି ଥିଲା ଯେ ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରିବା ସମ୍ଭବପର ନ ଥିଲା ।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଯୋଜନାବଦ୍ଧ ଭାବେ ଘୋଷଣା କରାଯାଇଛି । ସୋମବାର ରାତି ୧୧ଟା ୪୬ରେ ହୋଇଛି ବୋଲି ଏମ୍ସ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାକୁ ସାର୍ବଜନୀନ କରାଯାଇ ନଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାତି ଗୋଟାଏ ୧ ମିନିଟରେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପ୍ରଥମେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଦେଇଥିଲେ । ଗୋଟେ ମିନିଟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସେତେବେଳକୁ ମୃତ ଶରୀରର ବ୍ୟବଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ରାତି ଅଧରେ ଶବ ବ୍ୟବଚ୍ଛେଦ ପାଇଁ ନିଷ୍ପତ୍ତି ନିଆ ସରିଥିଲା । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ମୃତଦେହକୁ ପଛ ଗେଟ୍ ଦେଇ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା ।

ରାତି ଅଧରେ ପୋଷ୍ଟମର୍ଟମକୁ ନେଇ ହସ୍ପିଟାଲ୍ ପରିସରରେ ଦେଖାଦେଇଥିଲା ପ୍ରବଳ ହଙ୍ଗାମା । ଲୁଚାଇ ଛପାଇ ରାତି ଅଧରେ ଶବ ବ୍ୟବଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ବିଜେଡି, କଂଗ୍ରେସର ଛାତ୍ର ଓ ଯୁବ କଂଗ୍ରେସ କର୍ମୀ କରିଥିଲେ ଆନ୍ଦୋଳନ । ଶବ ବ୍ୟବଚ୍ଛେଦ ଗୃହ ଆଗରେ ବିକ୍ଷୋଭ କରିବା ସହ ଧାରଣାରେ ବସି ରହିଥିଲେ । ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ଏମସକୁ ପୋଲିସ ଛାଉଣି କରାଯାଇଥିଲା । ନିଜେ ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ ।

ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ତାଙ୍କ ପରିବାରକୁ ଭେଟିଥିଲେ । ତେବେ ରାତି ୧୧ଟା ପରେ ଦେଖିବାକୁ ମିଳିଥିଲା ନାଟକୀୟ ଘଟଣାକ୍ରମ । ସମଗ୍ର କ୍ୟାମ୍ପସ ପୋଲିସ ଛାଉଣି ହୋଇଯାଇଥିଲା । ମୃତକଙ୍କ ପରିବାରକୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ରଖାଯାଇଥିଲା । କିଛି ବିଜେପି ନେତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ପହଞ୍ଚି ଏମ୍ସ କର୍ତ୍ତୃପକ୍ଷଙ୍କ ସହ କରିଥିଲେ ଆଲୋଚନା । ଏହାପରେ ଆରମ୍ଭ ହୋଇଥିଲା ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ।