ବିଜେପିର ବର୍ଷ ପୂର୍ତ୍ତି ଆୟୋଜନ: ବିଜେଡିର ପ୍ରଶ୍ନ, ମାଳମାଳ ପ୍ରତିଶ୍ରୁତି କେତେ ପୂରଣ ହୋଇଛି

ନନ୍ଦିଘୋଷ ବ୍ୟୁରୋ: ବର୍ଷ ପୂର୍ତ୍ତିକୁ ନେଇ ବଡ଼ ଆୟୋଜନ କରୁଛି ବିଜେପି ସରକାର । ନିଜର ସଫଳତା ବଖାଣିବାକୁ ଆରମ୍ଭ କରିଛି ସଜବାଜ । କେନ୍ଦ୍ରୀୟ ନେତୃତ୍ବଙ୍କୁ ଓଡ଼ିଶା ଆଣି ବର୍ଷର ସଫଳତା ଲୋକଙ୍କୁ ଜଣାଇବାକୁ ଦଳ ଅଣ୍ଟା ଭିଡିଛି । ବିଜେପିର ବର୍ଷ ପୂର୍ତ୍ତିକୁ ନେଇ ବିଜେଡି ଲୋକଙ୍କ ସ୍ବର ସାଜି କେତେକ ମୌଳିକ ପ୍ରଶ୍ନ ପଚାରି ସରକାରଙ୍କୁ ଘେରିଛି । ଅନ୍ୟପଟେ କଂଗ୍ରେସ କହିଛି, ବର୍ଷେ ଭିତରେ ଓଡ଼ିଶାରେ କିଛି ହୋଇନି ବୋଲି ଅନୁଭବ କଲେଣି ରାଜ୍ୟବାସୀ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।
ନିର୍ବାଚନୀ ପ୍ରତିଶ୍ରୁତି ଗୋଟେ ଦିଗରେ, ବିଜେପି ସରକାର ଅନ୍ୟ ଦିଗରେ । ବର୍ଷେ ଭିତରେ ଶାସକ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ସଭା, ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୁଲାବୁଲିରେ ସମୟ ବିତାଇଲେ । ୨୦୨୪ରେ ଓଡ଼ିଶାବାସୀଙ୍କୁ ଦେଇଥିଲେ ମାଳମାଳ ପ୍ରତିଶ୍ରୁତି । କିନ୍ତୁ ପୂରଣ କରିବାକୁ ଭୂଲିଗଲେ । ଯାହା କିଛି ପ୍ରତିଶ୍ରୁତି ପାଳନ କଲେ ତାହା ପ୍ରତାରଣା ସଦୃଶ । ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା କଥା କହି ପାଞ୍ଚ ବର୍ଷରେ ଦେବାକୁ ଯୋଜନା କାର୍ଯ୍ୟକାରୀ କଲେ । ଯେଉଁଥିରେ ଦିନକୁ ମହିଳାଙ୍କୁ ମିଳିବ ମାତ୍ର ୨୭ ଟଙ୍କା । ଠିକ ସେହିପରି ସମସ୍ତଙ୍କୁ ଭତ୍ତା ୩୦୦୦ ଟଙ୍କା କହି କାର୍ଯ୍ୟକାରୀ କରିବା ବେଳେ କେବଳ ୮୦ ବର୍ଷରୁ ଅଧିକଙ୍କୁ ଏହି ସୁବିଧା ମିଳିଲା । କେନ୍ଦ୍ରାପଡ଼ାରେ ବୃଦ୍ଧ ବ୍ୟକ୍ତି ଭତ୍ତା ଆଣିବାକୁ ରାସ୍ତାରେ ଘୁଷୁଡି ଘୁଷୁଡ଼ି ଗଲେ । ଧାନର କଟନି ଛଟନି ହେବ ନାହିଁ କହି ୫ରୁ ୧୫ କିଲୋ ଯାଏଁ କଟନି ଛଟନି କଲେ । ଠପ୍ ହୋଇଗଲାଣି ବ୍ଲକରୁ ଆରମ୍ଭ କରି ରାଜ୍ୟର ବଡ ବଡ ବିକାଶମୂଳକ ପ୍ରକଳ୍ପର କାମ । ବର୍ଷ ପୂର୍ତ୍ତିରେ ବିଜେପି ସରକାରର ଏପରି ମାଳମାଳ ପ୍ରତିଶ୍ରୁତି କିପରି ପ୍ରତାରଣାରେ ପରିଣତ ହୋଇଛି ସେ କଥା ବଖାଣିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି ।
ବିଜେପି ସରକାର ନିଜର ବର୍ଷ ପୂର୍ତ୍ତି ପାଳନକୁ ନେଇ ଚଳଚଞ୍ଚଳ ହୋଇଛି । କେନ୍ଦ୍ରୀୟ ନେତୃତ୍ବଙ୍କୁ ଓଡ଼ିଶା ଆଣି ବଡ ସଭା ସମିତି ଜରିଆରେ ସଫଳତାର ତାଲିକା ଦେବାକୁ ଅଣ୍ଟା ଭିଡିଛି । ଲୋକଙ୍କ ସ୍ବର ସାଜି ବିଜେପି ସରକାରର ବିଭିନ୍ନ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ । ବିଜେପି ଯଦି ନିଜର ସଫଳତା ବଖାଣେ, ତେବେ ଲୋକେ ତାଙ୍କ ବିଫଳତାକୁ ପଦାରେ ପକାଇବେ ବୋଲି ଯୁକ୍ତି ବାଢିଛନ୍ତି ଅରୁଣ । ବର୍ଷେ ହେବ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ତେଣୁ ତୁରନ୍ତ ସରକାର ଲୋକଙ୍କ ସମସ୍ୟା ଦୂର କରନ୍ତୁ ବୋଲି ଦାବି କରିଛି ବିଜେଡି । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ କହିବା କଥା, ବର୍ଷେ ହେବ ଓଡ଼ିଶାରେ କିଛି ହେଉନାହିଁ । ଅନ୍ୟପଟେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବର୍ଷ ପୂର୍ତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ୨୦୩୬ରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
ରାଜ୍ୟ ସରକାର ବର୍ଷ ପୂର୍ତ୍ତୀ ପାଇଁ ସଫଳତାର ତାଲିକା ପ୍ରସ୍ତୁତ କରିଥିବା ବେଳେ ବିଜେଡି ତିଆରି କରିଛି ପ୍ରତାରଣାର ଲମ୍ବା ତାଲିକା ।