ରାଜ୍ୟ ବିଜେପି ସରକାରର ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ବିଜେଡି ଓ କଂଗ୍ରେସର ଟାର୍ଗେଟ
1 min read
ନନ୍ଦିଘୋଷ ବ୍ୟୁରୋ: ବର୍ଷପୂର୍ତ୍ତି ପାଇଁ ବିଜେପି ଶିବିର ଉତ୍ସବ ମୁଖର । ବର୍ଷକ ଭିତରେ ମନ୍ତ୍ରୀମାନେ ନିଜ ବିଭାଗକୁ ନେଇ କ’ଣ କାମ କରିଛନ୍ତି ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ବିଧାୟକମାନେ ମଧ୍ୟ ନିର୍ବାଚନ ମଣ୍ଡଳି ପାଇଁ କ’ଣ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେବେ । କିଛି ମନ୍ତ୍ରୀ ବିଭାଗର ସଫଳତାକୁ ନେଇ ବେଶ ଖୁସି ଥିବା ବେଳେ ବହୁ ମନ୍ତ୍ରୀ ବର୍ଷେ ଭିତରେ ସେମିତି କିଛି ଆଖିଦୃଶିଆ କାମ କରିବା ପାଇଁ ସମୟ ପାଇଲେ ନାହିଁ ବୋଲି ମାନିଛନ୍ତି । ସେପଟେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ନେଇ ବିରୋଧୀ ଖୁସି ନାହାନ୍ତି । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡରେ ସଫଳତା ଅପେକ୍ଷା ବିଫଳତାର ଲମ୍ବା ତାଲିକା ଜଳଜଳ କରି ଦିଶୁଛି ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି କଂଗ୍ରେସ ଶାସକ ଦଳର ରିପୋର୍ଟ କାର୍ଡ ଉପରେ ଚାର୍ଜସିଟ ଦେବ ବୋଲି କହିଛି ।
ଧାନ ମଣ୍ଡି ସମସ୍ୟା, କଟନୀ ଛଟନୀ, ଆଳୁ ଦର, ଧାନ କିଣା ପରେ ଚାଷୀଙ୍କ ଟଙ୍କା, ରାସନ୍ କାର୍ଡ ଆଦି ପ୍ରସଙ୍ଗରେ ବର୍ଷ ତମାମ ଚର୍ଚ୍ଚlରେ ଅଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଶ୍ଚିମରୁ ଉପକୂଳ ସବୁଠି ଆନ୍ଦୋଳନରେ ଚାଷୀ । ଏହାରି ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ରିପୋର୍ଟ କାର୍ଡକୁ ନେଇ ସେ ବେଶ ଆଶାବାଦୀ । ନିଜ ବିଭାଗରେ ସେ ସନ୍ତୁଷ୍ଟ ବୋଲି କହିଛନ୍ତି । ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ ବର୍ଷେ ଭିତରେ ୬ମାସ ସେ ନିଜ ବିଭାଗ ପାଇଁ କାମ କରିଛନ୍ତି । ଯାହା ସମସ୍ୟା ଆସିଥିଲା ତାହାର ସମାଧାନ ପାଇଁ କାମ କରିଛନ୍ତି । ଆଗକୁ ଅଧିକ ସକ୍ରିୟ କରିବେ ସମବାୟ ବିଭାଗକୁ । ମନ୍ତ୍ରୀଙ୍କ ପରି କିଛି ଶାସକ ଦଳର ବିଧାୟକ ରିପୋର୍ଟ କାର୍ଡ ଦେବାକୁ ଅଣ୍ଟା ଭିଡିଛନ୍ତି l ବର୍ଷେ ଭିତରେ କ’ଣ ପ୍ରଦର୍ଶନ ରହିଛି ତାହା ରିପୋର୍ଟ କାର୍ଡ ଜରିଆରେ ଲୋକଙ୍କୁ ଦେବୁ ବୋଲି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଛନ୍ତି ।
ସେପଟେ ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ କାର୍ଡରେ କ’ଣ ଉଲ୍ଲେଖ କରିଛନ୍ତି ତାହା ସାର୍ବଜନୀନ କରାଯାଉ ବୋଲି ବିଜେଡି ଦାବି କରିଛି । ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବର୍ଷେ ଭିତରେ ରାଜ୍ୟର ସରକାରଙ୍କ ମନ୍ତ୍ରୀମାନେ କ’ଣ କରିଛନ୍ତି ତାହା ରାଜରାସ୍ତାରେ ଚାଷୀ ଆନ୍ଦୋଳନ କରିବାକୁ ସ୍ପଷ୍ଟ ଜଣାପଡ଼ୁଛି । ଓଡିଶାର ବିକାଶ ସଂପୂର୍ଣ୍ଣ ଠପ ହୋଇଥିବା ବେଳେ ମନ୍ତ୍ରୀମାନେ ନିଜ ବିଭାଗ ସମ୍ଭାଳିବାରେ ବିଫଳ ହୋଇଛନ୍ତି ।
ଧାନର କଟନୀ ଛଟନୀ, ଦରଦାମ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ବେକାରୀଙ୍କୁ ନିଯୁକ୍ତି ନେଇ ବର୍ଷେ ଭିତରେ ମନ୍ତ୍ରୀମାନେ କ’ଣ କରିଛନ୍ତି ତାହା ଓଡିଶାବାସୀ ବୁଝିଲେଣି ବୋଲି ବିଜେଡି କହିଛି । ତେଣୁ ଶାସକ ଦଳ ରିପୋର୍ଟ କାର୍ଡ ଓ ଉତ୍ସବ କରନ୍ତୁ ବୋଲି କହି ଦେବୀ ମିଶ୍ର କଟାକ୍ଷ କରିଛନ୍ତି । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଶାସକ ଦଳ ରିପୋର୍ଟ କାର୍ଡ ଦେଲେ ଆମେ ତାଙ୍କ ବିରୋଧରେ ଚାର୍ଜସିଟ ଦେବୁ ।
ବର୍ଷେ ହେବ ମନ୍ତ୍ରୀମାନେ କ’ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତାର ତର୍ଜମା କରିବେ । ସେପଟେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ଶାସକ ଦଳର ରିପୋର୍ଟ କାର୍ଡ ରାଜନୀତିକୁ ଫୁଲ ଦମରେ କାଉଣ୍ଟର କରୁଛନ୍ତି ।