କୁଆଡେ ଗଲା ପ୍ରସ୍ତାବିତ ଉପକୂଳ ରାଜପଥ ? ଡବଲ ଇଞ୍ଜିନ ଡବଲ ଧୋକା

ଭୁବନେଶ୍ବର: ଅନିଶ୍ଚିତତା ଘେରରେ ପ୍ରସ୍ତାବିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ । ତିନି ଥର ବଦଳିଛି ଡିପିଆର । ବାରମ୍ବାର ବାତିଲ ହୋଇଛି ଟେଣ୍ଡର । ଭାରତମାଳା ଯୋଜନାରେ ଦେଶର ପ୍ରଥମ ପ୍ରକଳ୍ପକୁ ଧୋକା ଦେଇଛନ୍ତି ଡବଲ ଇଞ୍ଜିନ ସରକାର । ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛି ବିଜେଡି । ଓଡ଼ିଶାର ପର୍ଯ୍ୟଟନ ସମ୍ଭାରକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପ୍ରଥମେ ରାଜପଥକୁ ୪ ଲେନ ବିଶିଷ୍ଟ କରିବାକୁ ପ୍ରକଳ୍ପ ଅନୁମୋଦନ ହେଲା । ୪୧୩ କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପକୁ କମାଇ କରାଗଲା ୩୪୬ କିଲୋମିଟର । ରାମେଶ୍ବରରୁ ପୁରୀ, ପୁରୀରୁ କାକଟପୁର, କାକଟପୁରରୁ ଏରସମା, ଏରସମାରୁ ରତନପୁର ଓ ରତନପୁରରୁ ଦିଘା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ବପ୍ନ ଦେଖାଇଲେ କେନ୍ଦ୍ର ସରକାର । ୨୦୧୫ରେ ଘୋଷଣା ହେଲା, ୧୦ ବର୍ଷ ପରେ ଟେଣ୍ଡର କରାଗଲା। ଶେଷରେ ଏହି ଟେଣ୍ଡରକୁ ବି ବାତିଲ କରାଗଲା।

ଏହା କେନ୍ଦ୍ରର କିଭଳିଆ ନୀତି ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ଏବେ ଚଞ୍ଚକତା କରି ୪ ଲେନ୍ ବିଶିଷ୍ଟ କୋଷ୍ଟାଲ ହାଇଓ୍ବେକୁ ୨ ଲେନ ବିଶିଷ୍ଟ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମସୁଧା କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ବହୁ ପ୍ରତିକ୍ଷୀତ ଓଡ଼ିଶାର ଏହି ଉପକୂଳ ଜାତୀୟ ରାଜପଥକୁ ପୁନର୍ବାର ୪ ଲେନ କରିବାକୁ ଦାବି କରିଛି ବିଜେଡି।