ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ସାମିଲ କରୁଛି ବିଜେପି, CEOଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ବିଜେପି ପ୍ରାର୍ଥୀ । ଛୋଟ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବ୍ଯବହାର କରୁଛନ୍ତି । ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଗତକାଲି ସମ୍ବଲପୁର ବିଧାନସଭା ଆସନ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ୪୫ ଡିଗ୍ରୀ ଖରାରେ ସମ୍ବଲପୁର ବିଜେପି ପାର୍ଟି ଅଫିସରେ ସଭା କାର୍ଯ୍ୟରେ ଛୋଟ ପିଲାଙ୍କୁ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା । ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ବିଜେଡି । ଗତ ୫ ବର୍ଷରେ ଜୟନାରାୟଣ ମିଶ୍ର ଲୋକଙ୍କ ଲାଗି କିଛି କରି ନାହାନ୍ତି । ତେଣୁ ତାଙ୍କ ସଭାରେ ଲୋକ ହେଉ ନାହାନ୍ତି । ଛୋଟ ପିଲାଙ୍କୁ ସେ ପ୍ରଚାରରେ ଲଗାଉଛନ୍ତି । ଏହାଦ୍ବାରା ଶିଶୁଙ୍କ ଅଧିକାର କ୍ଷୁଣ୍ଣ ହେଉଛି ।

ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ ଓ ବୈଜୟନ୍ତ ପଣ୍ଡା  ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେଡି କହିଛି । କେନ୍ଦ୍ରରେ ସରକାର ଥିବାରୁ ନିର୍ବାଚନ କମିଶନଙ୍କୁ ଆଳ କରି ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ବିଜେପି ନେତା ଭାବୁଛନ୍ତି । ଏଥିରୁ ବିଜେପି ନିବୃତ୍ତ ରହୁ । ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦିଅନ୍ତୁ । ବିଜେପି ବିରୋଧରେ ଦୃଢ଼ କଯ୍ୟନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।