ଏକାଧିକ ପ୍ରସଙ୍ଗକୁ ନେଇ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଏକାଧିକ ପ୍ରସଙ୍ଗକୁ ନେଇ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ରାତିପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରହିଛି । ଏହାପୂର୍ବରୁ ବିଭିନ୍ନ ସ୍ଥାନରେ ବିଜେପି ସମର୍ଥକ ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ ହୋଇଛି ।

କିଛିଦିନ ତଳେ ବିଜେପିର ବିଧାୟକ ପ୍ରାର୍ଥୀ ଏନେଇ ଧମକ ମଧ୍ଯ ଦେଇଥିଲେ । ଆଜି ସକାଳ ଲିଙ୍ଗରାଜ ମନ୍ଦିର ପାଖରେ ପୋଲିସଙ୍କୁ ମଧ୍ଯ ଗାଳିଗୁଲଜ କରିଥିଲେ । ନିର୍ଦ୍ଦିଷ୍ଟ ଗଣମାଧ୍ଯମ ମଧ୍ଯ ବିଜେପି ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନଙ୍କ ଲୋକମାନେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ଗୋଟିଏ ବୁଥର ମାତ୍ର ୭୦ ମିଟର ଦୂରରେ ଦୁଇଟି ଛୋଟ ଅଫିସ କରିଛନ୍ତି । ଯାହା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି । ନିୟମ ଅନୁସାରେ ବୁଥ ଠାରୁ ଦଳୀୟ ଅଫିସ ୩୦୦ ମିଟର ଦୂରରେ ରହିବା କଥା । ଏଣୁ ବିଜେପି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ।