ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିପାରିବ ତ: ବିଜେଡି

ଭୁବନେଶ୍ବର: ଓଡ଼ିଶା ପାଇଁ ବିଜେପିର ବଳକା ପ୍ରାର୍ଥୀ ତାଲିକା ଆଜି ଆସିବ, କାଲି ଆସିବ । ଏମିତି ଶୁଣିବାକୁ ମିଳୁଛି । ଦିନ ଗଡୁଛି, ନାମାଙ୍କନ ଦାଖଲ ତାରିଖ ପାଖଉଛି, ହେଲେ ନା ଆସୁଛି ବିଜେପିର ପ୍ରାର୍ଥୀ ତାଲିକା ନା ହଟୁଛି ସସପେନ୍ସ । ସରୁନି ଓଡ଼ିଶା ବିଜେପିର ପ୍ରାର୍ଥୀ ଖୋଜା ଅଭିଯାନ । ଏମିତି କଟାକ୍ଷ କରି ରାଜ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଇପସିତା ସାହୁ ।

ବିଜେପି ପକ୍ଷରୁ କେବେ କୁହାଯାଉଛି ଟିକେଟ ଆଜି ଆସିବ ଆଉ କେବେ କହୁଛନ୍ତି ଦୁଇରୁ ତିନି ଦିନ ଭିତରେ ଆସିବ । ଗତ ୧୦ ତାରିଖରୁ ପ୍ରାର୍ଥୀ ତାଲିକା ଆସିବା ନେଇ ଏଇଭଳି ସଫେଇ ଦେଉଛନ୍ତି ବିଜେପି ନେତା । ହେଲେ ଓଡିଶା ବିଜେପିର ପ୍ରାର୍ଥୀ ଖୋଜା ଅଭିଯାନ ସରୁନି କି ତାଲିକା ଆସୁନାହିଁ ।

ବିଜେଡି ମୁଖପାତ୍ର ଇପସିତା ସାହୁ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଓଡ଼ିଶା ବିଜେପିର ବରିଷ୍ଠ ନେତାଙ୍କ ପ୍ରାର୍ଥୀ ଖୋଜା ଅଭିଯାନ ଚାଲିଛି ଯେ ଚାଲିଛି, ସରିବାର ନାଁ ନେଉନି । ଲାଗୁଛି ଓଡିଶା ବିଜେପିର ପ୍ରାର୍ଥୀ ଖୋଜା ଅଭିଯାନ ସରିନି । ଯାହାକୁ ଯେଉଁଠୁ ପାରିଲେ ତୁରନ୍ତ ଆଣି ଦଳରେ ସିନା ମିଶାଇ ଦେଲେ, ହେଲେ ସେମାନେ ପ୍ରାର୍ଥୀ ହେବାକୁ ରାଜି ନାହାନ୍ତି । ରାଜ୍ୟ ବିଜେପିର ସ୍ଥିତି ଦେଖି ପରାଜୟ ଭୟରେ ବିଜେଡି ପ୍ରାର୍ଥୀଙ୍କୁ ସାମ୍ନା କରିବାକୁ ବିଜେପି ନେତା ଅସମର୍ଥ । ଯାହାକି ସେମାନେ ଦଳୀୟ ନେତୃତ୍ୱଙ୍କୁ ଜଣାଇ ସାରିଲେଣି । ନାମାଙ୍କନ ଦାଖଲ ଆଗରୁ କମସେ କମ ଓଡିଶା ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଦେବ ବୋଲି ଆଶା କରୁଛୁ କହି କଟାକ୍ଷ କରିଛନ୍ତି ଇପସିତା ।