କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମିଳୁ ଆଡମିଶନ, ଦେଶରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ ପାଇଁ ବିଜେଡିର ଦାବି

ଭୁବନେଶ୍ୱର: ଦ୍ୱିତୀୟ ଲହାରୀରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କୁ ଦେଖିବାକୁ କେହି ନାହାନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ସହ ବିଜୁ ଶିଶୁ ସୁରକ୍ଷା ଓ ଗ୍ରୀନ ପ୍ୟାସେଜ ଯୋଜନାରେ ଉଚ୍ଚଶିକ୍ଷା ସମେତ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି। ତେବେ କେନ୍ଦ୍ର ସରକାର ଏହି ଅନାଥମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ରଖିଛି ବିଜେଡି।

କେବଳ ଓଡ଼ିଶା ନୁହେଁ, ଦେଶର କୌଣସି ବି ସ୍ଥାନରେ ଯଦି ଅନାଥ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ଚାହୁଁଛନ୍ତି ତୁରନ୍ତ ସୁଯୋଗ ଦେବାକୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ। ତଥ୍ୟ ଓ ତାଲିକାକୁ ଅପେକ୍ଷା ନ କରି ୱାକ-ଇନ ମାଧ୍ୟମରେ ଆଡମିଶନ ଦିଆଯିବା ଉପରେ ଦଳ ପକ୍ଷରୁ ଦାବି କରିଛନ୍ତି। ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ ରହିଛି।

କେନ୍ଦ୍ରୀୟ ବିଦ୍ୟାଳୟରେ ସୁଲଭ ଦରରେ ଉତ୍ତମ ଶିକ୍ଷା ମିଳିଥାଏ। ଯେଉଁଥିପାଇଁ ଏହା ଅଭିବାବକଙ୍କ ପ୍ରଥମ ପସନ୍ଦ। ଆଡମିଶନ ପାଇଁ ଅନେକ ସର୍ତ୍ତାବଳୀ ଓ କୋଟା ବ୍ୟବସ୍ଥା ଥାଏ। ତେବେ ନବୀନ ପଟ୍ଟନାୟକ ରାଜନୀତିଠାରୁ ଦୂରରେ ରହି ସାରା ଦେଶର ଚିନ୍ତା କରିଛନ୍ତି। ଯାହାକୁ ବିରୋଧୀ ଓ ଶିକ୍ଷାବିତ ପ୍ରଶଂସା କରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଅନାଥ ପିଲାଙ୍କ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ପାଇଁ ବିଜେଡିକୁ ସମର୍ଥନ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସମେତ ନବୋଦୟ ବିଦ୍ୟାଳୟରେ ନାମଲେଖା ଉପରେ ଜୋର ଦେଇଛନ୍ତି ଶିକ୍ଷାବିତ।

ଦେଶ ଯାହା କରିବାକୁ ଚିନ୍ତାରେ କରେ, ନବୀନ ପଟ୍ଟନାୟକ ତାହା ପୂର୍ବରୁ କରି ସାରିଥାନ୍ତି। ନବୀନ କୋଭିଡ ଅନାଥଙ୍କ ଚିହ୍ନଟ, ପେନସନ ସମେତ ଶିକ୍ଷାଗତ ଭବିଷ୍ୟତର ଦାୟିତ୍ୱ ନେଇଥିବାରୁ, ସାରା ଦେଶ ଓଡ଼ିଶାକୁ ରୋଲମଡେଲ ଭାବେ ନେଉଛି।

Leave a Reply

ନଜର ପକାନ୍ତୁ